*ବୁଲେଟ୍-ସ୍କୁଟି ଧକ୍କା, ୪ ଗୁରୁତର*
ଚିକିଟି, ୨୫/୦୯, ( ଶ୍ରୀବତ୍ସ ସାହୁ ): ଚିକିଟି ଫାଣ୍ଡି ଅନ୍ତର୍ଗତ ଇମୋଜୀ ହୋଟେଲ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ବୁଲେଟ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍କୁଟିରେ ଚିକିଟିପେଣ୍ଠ ଅଞ୍ଚଳର ସୁମନ ସେଠୀ (୨୦) ଓ ରାଜେଶ ପଟ୍ଟନାୟକ (୨୦) ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବୁଲେଟ୍ ସହ ଧକ୍କା ହୋଇଥିଲା। ବୁଲେଟ୍ରେ ସାରୁସନ୍ଦିଗ ଅଞ୍ଚଳର ଶୁଭମ୍ ପ୍ରଧାନ (୨୦) ଓ ଢେପାଗ ଅଞ୍ଚଳର ସଂଗ୍ରାମ ନାୟକ (୨୨) ଥିବା ଜଣାପଡ଼ିଛି।
ଦୁର୍ଘଟଣାର ଶବ୍ଦ ଶୁଣି ନିକଟସ୍ଥ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ। ତେବେ ଆହତ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ଆବଶ୍ୟକ ହୋଇଥିଲା। ଏହାପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଚିକିଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଦୁଇଟି ଗାଡ଼ିକୁ ନେଇ ଦୁର୍ଘଟଣାର କାରଣ ଓ ପରିସ୍ଥିତି ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
