ସରକାରୀ ଉଦାସୀନତାର ଶିକାର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ: ବେତନଟୀ ବ୍ଲକରେ ମାସ ମାସ ଧରି ଖାଲି ପଡ଼ିଛି ଦୁଇ ଏବିଇଓ ପଦ, ଭୁଶୁଡ଼ିବାକୁ ବସିଲାଣି ଶିକ୍ଷା ବ୍ୟବସ୍ଥା
ବେତନଟୀ, ୨୫/୯: ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଓ ଶିକ୍ଷା ଭିତ୍ତିଭୂମିର ରୂପାନ୍ତରଣ ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ପ୍ରଶାସନିକ ତଥା ସରକାରୀ ଅବହେଳା ଯୋଗୁଁ ସ୍କୁଲ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୨୬ଟି ବ୍ଲକ ବିଶିଷ୍ଟ ଏହି ବୃହତ୍ ଉପାନ୍ତ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ପୂର୍ଣ୍ଣାଙ୍ଗ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନଥିବା ବେଳେ ନିୟମ ଅନୁଯାୟୀ ଆବଶ୍ୟକ ୩ ଜଣ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ମଧ୍ୟ ନାହାନ୍ତି। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବେତନଟୀ ବ୍ଲକରେ ମାସ ମାସ ଧରି ଦୁଇ ଦୁଇଟି ଏବିଇଓ ପଦବୀ ଫାଙ୍କା ପଡ଼ି ରହିବା ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ଚରମ ଉଦାସୀନତାକୁ ପଦାରେ ପକାଇଛି। ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ଲକ ବେତନଟୀ ଅଧୀନରେ ୨୪ଟି ଗ୍ରାମ ପଞ୍ଚାୟତ ରହିଛି। ଏହି ବ୍ଲକରେ ପ୍ରାୟ ୨୫୦ରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୩୫ଟି ଉଚ୍ଚ ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିଛି। ଏତେ ସଂଖ୍ୟକ ବିଦ୍ୟାଳୟର ସୁପରିଚାଳନା ପାଇଁ ପ୍ରଶାସନିକ କର୍ମଚାରୀଙ୍କ ନିତାନ୍ତ ଆବଶ୍ୟକତା ଥିବା ସତ୍ତ୍ୱେ, ଏଠାରେ ଗତ ୩୧ ଜାନୁଆରୀ ୨୦୨୫ରୁ ଜଣେ ଏବିଇଓ ଏବଂ ୩୦ ଏପ୍ରିଲ ୨୦୨୫ରୁ ଅନ୍ୟ ଜଣେ ଏବିଇଓ ପଦ ଖାଲି ହୋଇ ପଡ଼ିରହିଛି। ଏତେ ଦୀର୍ଘ ସମୟ ବିତିଯାଇଥିଲେ ହେଁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କିମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ପଦବୀ ପୂରଣ ପାଇଁ ତିଳେ ହେଲେ ଆନ୍ତରିକତା ଦେଖାଇ ନାହାନ୍ତି। ଅଧିକାରୀଙ୍କ ଅନୁପସ୍ଥିତି ଏବଂ ଯୋଗ୍ୟତାସମ୍ପନ୍ନ ଶିକ୍ଷକଙ୍କ ଅଭାବ କାରଣରୁ ନିୟମିତ ଶିକ୍ଷାଦାନ ସମ୍ପୂର୍ଣ୍ଣ ବ୍ୟାହତ ହେଉଛି। ସ୍କୁଲ ପରିଦର୍ଶନ, ମଧ୍ୟାହ୍ନ ଭୋଜନ ବା ଏମ୍ଡିଏମ୍ ଯୋଜନାର ତଦାରଖ ତଥା ଓସେପା ପକ୍ଷରୁ ନିର୍ଦ୍ଧାରିତ ବହୁବିଧ କାର୍ଯ୍ୟକ୍ରମ କେବଳ କାଗଜପତ୍ରରେ ସୀମିତ ରହିଯାଇଛି। ଫଳସ୍ୱରୂପ, ସରକାରୀ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଫଳପ୍ରଦ ହୋଇପାରୁ ନାହିଁ ଏବଂ ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସରକାର କେବଳ ନୂଆ ନୂଆ ଘୋଷଣା କରି ପ୍ରଚାର କରୁଛନ୍ତି ସତ, ହେଲେ ଶିକ୍ଷା ବିଭାଗର ଏଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପାଖରେ କୌଣସି ଠୋସ୍ ଯୋଜନା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏ ସମ୍ପର୍କରେ ବେତନଟୀର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ରବୀନ୍ଦ୍ରନାଥ ମିଶ୍ର, ଡକ୍ଟର ସନ୍ତୋଷ କୁମାର ମହାନ୍ତି ଏବଂ ବରିଷ୍ଠ ଶିକ୍ଷକ ନେତା ଜୟନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାର ଆଦିବାସୀ ଜିଲ୍ଲାର ଶିକ୍ଷା ପ୍ରତି ସାବତପୁଅ ମନୋଭାବ ଛାଡ଼ି ତୁରନ୍ତ ଖାଲି ପଡ଼ିଥିବା ପ୍ରଶାସନିକ ପଦବୀଗୁଡ଼ିକୁ ପୂରଣ କରନ୍ତୁ, ନଚେତ୍ ଆଗାମୀ ଦିନରେ ଏହି ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡ଼ିବ।
