ବିକଶିତ ଯୋଜନାରେ ଅବିକଶିତ ବାସ୍ତବତା: ବେତନଟୀରେ ରାଜନୀତି ଭିତରେ କାଦୁଅ ରାସ୍ତାରେ ଜୀବନ ବନ୍ଧା, ପ୍ରଶାସନ ନୀରବ
ବେତନଟୀ, ୨୫/୯: ରାଜ୍ୟ ସରକାର ଗାଁ ଗଣ୍ଡାର ଉନ୍ନତି ପାଇଁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଭଳି ଲୋଭନୀୟ ଯୋଜନାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାର କଦର୍ଯ୍ୟ ରୂପ ଏବେ ଜନଅସନ୍ତୋଷର କାରଣ ପାଲଟିଛି। ପଞ୍ଚାୟତରାଜ ବିଭାଗ ଓ ସ୍ଥାନୀୟ ବ୍ଲକ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଅଣଦେଖା ହୋଇ ରହିଥିବା ବେଳେ ଯୋଜନାର ଅର୍ଥ କିଛି ନିର୍ଦ୍ଦିଷ୍ଟ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଙ୍କ ପକେଟ୍ ଗରମ କରୁଥିବା ଅଭିଯୋଗ ଉଠିଛି।
ବେତନଟୀ ବ୍ଲକ୍ ଅନ୍ତର୍ଗତ ସଠିଲୋ ଓ ଭୋଗବାଟି ଅଞ୍ଚଳର ମୁଖ୍ୟ ସଂଯୋଗକାରୀ ଆରଡି ରୋଡ ସାମଲଘର ଛକଠାରୁ ପୁହାଣ ଘର ଛକ ପର୍ଯ୍ୟନ୍ତ ରାସ୍ତାଟି ବର୍ଷ ବର୍ଷ ଧରି ଖାଲଖମାରେ ପରିପୂର୍ଣ୍ଣ ହୋଇ ନର୍କରେ ପରିଣତ ହୋଇରହିଛି। ଶତାଧିକ ପରିବାର ତଥା ସ୍କୁଲ, କଲେଜ ଛାତ୍ରଛାତ୍ରୀ ଦୈନନ୍ଦିନ ଯାତାୟାତ ପାଇଁ ଏହି ବିପଦସଙ୍କୁଳ ରାସ୍ତା ଉପରେ ନିର୍ଭର କରନ୍ତି। ତଥାପି, ଅତ୍ୟନ୍ତ ରହସ୍ୟଜନକ ଭାବେ ଏହି ଜନବହୁଳ ରାସ୍ତାକୁ ‘ବିକଶିତ ଗାଁ’ ଯୋଜନାରୁ ବାଦ୍ ଦିଆଯାଇଛି। ବିଡ଼ମ୍ବନାର ବିଷୟ, ଯେଉଁଠି ମାତ୍ର ଚାରି-ପାଞ୍ଚଟି ଘର ରହିଛି, ସେହି ସ୍ଥାନ ବା ବାଇଧର କବାଟ ଘରଠାରୁ ଅର୍ଜୁନ ସାମଲ ଘର ପର୍ଯ୍ୟନ୍ତ ଏକ କମ୍ ଲୋକଙ୍କ ଆବଶ୍ୟକତା ଥିବା ରାସ୍ତା ଯାହାର ଗୋଟିଏ ପଟେ କେବଳ ଚାଷଜମି ରହିଛି ତା ପାଇଁ ସରକାରୀ ତହବିଲରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି କଂକ୍ରିଟ୍ ଢଳେଇ କରାଯାଇଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ବ୍ଲକ ପ୍ରଶାସନ ପାଇଁ ଜନସ୍ୱାର୍ଥ ନୁହେଁ, ବରଂ ‘ପିସି କାରବାର’ ହିଁ ପ୍ରାଥମିକତା ପାଲଟିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ନିୟମ ଅନୁଯାୟୀ ଏହି ସମସ୍ତ କାର୍ଯ୍ୟ ବିଭାଗୀୟ ଭାବେ କରାଯିବାର ଥିବା ବେଳେ, ବାସ୍ତବରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ଯୁବକ ସମସ୍ତ ଠିକାଦାରୀ କାମ କରୁଥିବା ଦେଖିବାକୁ ମିଳୁଛି। ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଜାଣିଶୁଣି ଉଲ୍ଲେଖ କରାଯାଉ ନାହିଁ, ଯାହା ବିଭାଗୀୟ ଯନ୍ତ୍ରୀ ଏବଂ ବ୍ଲକ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ଇଙ୍ଗିତ କରୁଛି। ଡବଲ ଇଞ୍ଜିନ ସରକାରଙ୍କ ସ୍ୱଚ୍ଛ ଶାସନର ଦାବି ଏଠାରେ ଛାମୁଆ ନେତା ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଭିତରେ ବାଟବଣା ହୋଇଛି। କାଗଜପତ୍ରରେ ବିକାଶର ଗୋଲାପୀ ଚିତ୍ର ଆଙ୍କି ସାଧାରଣ ଲୋକଙ୍କୁ କାଦୁଅରେ ଛାଡ଼ିଦେବା ଜିଲ୍ଲା ପ୍ରଶାସନ ତଥା ପଞ୍ଚାୟତରାଜ ବିଭାଗର ଚରମ ଅପାରଗତାକୁ ପଦାରେ ପକାଇଛି। ଏହି ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ନହେଲେ ଏବଂ ମୁଖ୍ୟ ରାସ୍ତାର ତୁରନ୍ତ ମରାମତି ନକରାଗଲେ, ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରୀ ପ୍ରବଞ୍ଚନା ବିରୋଧରେ ଉଚିତ୍ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି।
