କଳାହାଣ୍ଡି ବିଜେପିର କାର୍ଯ୍ୟକାରିଣୀ ବୈଠକ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣାସ୍ଥିତ ଏସ୍.ଏନ୍. କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଜନସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ।
ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି ଓ ଭବେନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ମାଳବିକା ଦେବୀ, ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ପୂର୍ବତନ ମନ୍ତ୍ରୀ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଯୋଗଦେଇଥିଲେ।
ବୈଠକରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଓ ଓଡ଼ିଶାର ମୋହନ ଚରଣ ମାଝୀ ସରକାରଙ୍କ ବିକାଶ ଓ ଜନକଲ୍ୟାଣମୂଳକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ରେଳବାଇ, ଜାତୀୟ ରାଜପଥ, ଶିକ୍ଷା, ବନ୍ଦର, ଶିଳ୍ପ ଓ ସେମିକଣ୍ଡକ୍ଟର ଭଳି କ୍ଷେତ୍ରର ପଦକ୍ଷେପକୁ ଉଲ୍ଲେଖ କରାଯାଇଥିଲା। ସୁଭଦ୍ରା ଯୋଜନା, ସିଏମ୍-କିଷାନ, ଧାନର ଏମ୍ଏସ୍ପି, ଆୟୁଷ୍ମାନ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଗ୍ରାମୀଣ ସଡ଼କ, ଗୃହ ଓ ଭିତ୍ତିଭୂମି ବିକାଶ ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକରେ ଦଳୀୟ ସଂଗଠନକୁ ଆହୁରି ସକ୍ରିୟ କରିବା ଏବଂ ଆଗାମୀ ଜିଲ୍ଲା ପରିଷଦ ଓ ପୌର ନିର୍ବାଚନ ପାଇଁ ସଂଗଠନକୁ ପ୍ରସ୍ତୁତ କରିବା ନେଇ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ପରେ ଦୁଇଟି ଧନ୍ୟବାଦ ପ୍ରସ୍ତାବ ଓ ଗୋଟିଏ ନିନ୍ଦା ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ଜଣାପଡ଼ିଛି।
