ବର୍ଷ ପରେ ବର୍ଷ ବିତୁଛି, ସରୁନି ବାରଖମା–ମିଡ଼ିଆକିଆ ରାସ୍ତା କାମ
ଅଧାପନ୍ତରିଆ ରାସ୍ତା ଯୋଗୁଁ ୩ ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା ବଢୁଛି
ବାଲିଗୁଡ଼ା, (ନି.ପ୍ର) ୨୬/୦୯
ବର୍ଷ ପରେ ବର୍ଷ ବିତିଯାଉଛି, ହେଲେ ସରୁନି ରାସ୍ତା ନିର୍ମାଣ କାମ। କେଉଁଠି ରାସ୍ତା ଅଧାପନ୍ତରିଆ, ତ ଆଉ କେଉଁଠି ଲଗାଣ ବର୍ଷାରେ ରାସ୍ତା ଉପରେ ଜମିଛି ପାଣି। ଫଳରେ ଯାତାୟାତ ପାଇଁ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଠାରୁ ରେବିଙ୍ଗିଆ, ସଲାକିଆ ଦେଇ ମିଡ଼ିଆକିଆକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କାମ ଦୀର୍ଘଦିନ ଧରି ଅଧାପନ୍ତରିଆ ହୋଇ ପଡ଼ିଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ୩ଟି ପଞ୍ଚାୟତର ଲୋକେ ଏବେ ଯାତାୟାତ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଜଳସ୍ତର ବଢ଼ିବା ସହ ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବା ବେଳେ, ଅନେକ ସ୍ଥାନରେ ରାସ୍ତା ନଷ୍ଟ ହୋଇ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ରାସ୍ତା ଉପରେ ଜମିଥିବା ବର୍ଷା ପାଣି କେତେକ ସ୍ଥାନରେ ଘର ଭିତରକୁ ପଶିଯାଉଥିବା ଅଭିଯୋଗ ମଧ୍ୟ ହେଉଛି।ବାରଖମା ହାଟବଜାରଠାରୁ ଆରମ୍ଭ କରି ଚିକିତ୍ସା, ଶିକ୍ଷା ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ଲୋକେ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। କିନ୍ତୁ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ପ୍ରତିଦିନ ଜୀବନକୁ ବିପଦରେ ପକାଇ ଯାତ୍ରା କରିବାକୁ ପଡ଼ୁଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଧାପନ୍ତରିଆ ହୋଇ ପଡ଼ିଥିବା ରାସ୍ତା କାମକୁ ତୁରନ୍ତ ଶେଷ କରାଯାଉ। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ୩ଟି ପଞ୍ଚାୟତର ଲୋକଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟା ଦୂର ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।
