ସୋର – ଉତ୍ତରେଶ୍ଵର ବଜାର ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଜାତୀୟ ରାଜପଥ ବିଭାଗ (ଏନ୍ ଏଚ୍ ଆଇ) ପକ୍ଷରୁ ସୋର ଉତ୍ତରେଶ୍ୱର ବଜାର ମୁଖ୍ୟରାସ୍ତା ଉପରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ଅନେକ ଥର ଏହି ଜବରଦଖଲ ହଟାଯାଇ ଥିଲେ ମଧ୍ୟ କେତେକ ଅମାନିଆ ବ୍ୟବସାୟୀ ପୁଣି ରାସ୍ତା କୁ ମାଡ଼ି ବସିଥିଲେ ନିଜର ବ୍ୟବସାୟ କରୁଥିଲେ।ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।ବିଭିନ୍ନ ସମୟରେ ରାସ୍ତା ଜାମ ହେବା ସହିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା।ବାରମ୍ବାର ଏଭଳି ଘଟଣା ଯୋଗୁଁ ଆଜି ଉତ୍ତରେଶ୍ୱର ରୁ କଲେଜ୍ ଛକ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ କରାଯାଇଛି। ସୋର ଜାତୀୟ ରାଜପଥ ଅଧିକାରୀ ,ସୋର ଅତିରିକ୍ତ ତହସିଲଦାର ସଂଜୀବ କୁମାର ପାତ୍ର ଙ୍କ ସହ ସୋର ପୋଲିସ ସହାୟତାରେ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।ଦୁଇଦିନ ତଳେ ଜାତୀୟ ରାଜପଥ ଅଧିକାରୀ ଙ୍କ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଚାର କରାଯାଇଥିବା ବେଳେ ବ୍ୟବସାୟୀ ମାନେ ଜବର ଦଖଲ ହଟାଇ ନଥିଲେ।ପୂର୍ବ ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ସୋର ଜାତୀୟ ରାଜପଥ ଅଧିକାରୀ , ସୋର ଅତିରିକ୍ତ ତହସିଲଦାର, ସୋର ପୁଲିସ ସହଯୋଗରେ ଜବରଦଖଲ କରିଥିବା ଦୋକାନକୁ ଉଚ୍ଛେଦ କରିଥିଲେ।
