ମାଆ ପାଠ ପଢିବା ପାଇଁ କହିବାରୁ ଜୀବନ ହାରିଲେ କଲେଜ ଛାତ୍ରୀ
ସୋର, ୨୩/୯ (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ଅଞ୍ଚଳରେ ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି। ପାଠ ପଢିବା ପାଇଁ ମାଆ ଆକଟ କରିବାରୁ ଜଣେ ଛାତ୍ରୀ ଆପ୍ରୋନ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଛାତ୍ରୀ ଜଣଙ୍କ ହେଲେ; ସୋର ଥାନା ରାଇପୁର ଗ୍ରାମର ଲୋପାମୁଦ୍ର ଦ୍ବିବେଦୀଙ୍କ ବଡ଼ ଝିଅ ଅନ୍ଵେଷା ଅନିନ୍ଦିତା (୧୬) ।ଅନ୍ବେଷା ଜଣେ ମେଧାବୀ ଛାତ୍ରୀ ଥିବା ବେଳେ ସୋର ଉପେନ୍ଦ୍ର ନାଥ କଲେଜର ବିଜ୍ଞାନ ବିଭାଗର ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠ ପଢନ୍ତି। କଲେଜ ଛକରେ ଥିବା ଏକ ଘରୋଇ ମେସ୍ରେ ରହୁଥିବା ବେଳେ ଗତ ୮ ଦିନ ତଳେ ଘରକୁ ଆସିଥିଲେ । ତେବେ ଆଜି ସଂଧ୍ୟାରେ ଅନ୍ଵେଷାଙ୍କ ମାଆ ତାଙ୍କୁ ପାଠ ପଢ଼ିବାକୁ ଆକଟ କରି ଟିଉସନ୍ କରିବାକୁ ଯାଇଥିଲେ । ଏହି ସମୟରେ ସେ ମାନସିକ ଭାରସାମ୍ୟ ହରାଇ ଘର ବାରଣ୍ଡାରେ ନିଜ ଆପ୍ରୋନ୍ ଦ୍ବାରା ଫାଶୀ ଲଗାଇ ଝୁଲି ପଡ଼ିଥିଲେ । ଘଟଣା ଜାଣିବା ପରିବାର ଲୋକେ ଅନ୍ଵେଷାଙ୍କୁ ଉଦ୍ଧାର କରି ତୁରନ୍ତ ସୋର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ବ୍ୟବଚ୍ଛେଦ ପାଇଁ ଶବ ରଖିଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
