୬୭ ହଜାରରେ ୧୦୦ କେଜି ଲଡୁ!
ସିଂହ ସାହିରେ ଜମିଲା ଭକ୍ତି ଓ ପରମ୍ପରାର ନିଆରା ଲଡୁ ନିଲାମ
ତାଳଚେର:(ମନୋଜ ରାଉତ)ନିପ୍ର): ୧୨ ବର୍ଷର ପରମ୍ପରାରେ ଏଥର ବି ଜମିଲା ନିଲାମ ଆସର — ଲଡୁ ପାଇଁ ଚାଲିଲା ଜୋରଦାର ଡାକ
ସିଂହ ସାହି: ଭକ୍ତି, ପରମ୍ପରା ଓ ଉତ୍ସାହର ମାହୋଲ ମଧ୍ୟରେ ସିଂହ ସାହିରେ ଧୁମ୍ଧାମରେ ଅନୁଷ୍ଠିତ ହୋଇଛି ପବିତ୍ର ଲଡୁ ନିଲାମ। ଦୀର୍ଘ ୧୨ ବର୍ଷ ଧରି ଚାଲିଆସୁଥିବା ଏହି ନିଆରା ପରମ୍ପରା ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଆକର୍ଷଣ ସୃଷ୍ଟି କରିଥିଲା। ନିଲାମ ଆରମ୍ଭ ହେବା ପରେ ଗୋଟିଏ ପରେ ଗୋଟିଏ ଡାକ ବଢ଼ିବା ସହ ଜମିଥିଲା ଜୋରଦାର ପ୍ରତିଯୋଗିତା।
ଚଳିତବର୍ଷର ନିଲାମର ମୁଖ୍ୟ ଆକର୍ଷଣ ଥିଲା ୧୦୦ କେଜି ଓଜନର ବିଶାଳ ଲଡୁ। ଏହା ସହିତ ୨ ଗ୍ରାମର ସୁନା ମୁଦି ଏବଂ ରୁପାର ଗଣେଶ ମୂର୍ତ୍ତି ମଧ୍ୟ ନିଲାମରେ ରଖାଯାଇଥିଲା। ନିଲାମ ଆରମ୍ଭ ହେବାମାତ୍ରେ ଲଡୁକୁ ନେଇ ଆରମ୍ଭ ହୋଇଥିଲା ଡାକ ପ୍ରତିଯୋଗିତା। ଦର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବା ସହ ଉତ୍ସାହିତ ହୋଇଉଠିଥିଲା ସମଗ୍ର ପରିବେଶ।
ଶେଷରେ ୧୦୦ କେଜିର ବିଶାଳ ଲଡୁ ୬୭ ହଜାର ଟଙ୍କାରେ ନିଲାମ ଫାଇନାଲ୍ ହୋଇଥିଲା। ଏହି ଲଡୁକୁ ସ୍ୱର୍ଗତ ପତିତପାବନ ସିଂହଙ୍କ ପରିବାର ମିଶି ଖୁସିରେ ନେଇଥିବା ଜଣାପଡ଼ିଛି। ଲଡୁ ନିଲାମର ଏହି ଦର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି।
ଏହି ଅବସରରେ ପତିତପାବନ ସିଂହ, ବ୍ରଜ ସୁନ୍ଦର ସିଂହ, ବାସୁଦେବ ସିଂହ, ବାପି ସିଂହ, ବିଭୁନ୍ଦ୍ର ପ୍ରତାପ ସିଂହ, ସୁମିତା ସିଂହ, ମାତା ଏବଂ ଅମୁଲ୍ୟ ସିଂହଙ୍କ ସମେତ ପରିବାରର ଅନେକ ସଦସ୍ୟ ଉପସ୍ଥିତ ଥିଲେ।
ଲଡୁ ନିଲାମରେ ଫ୍ରେଣ୍ଡସ୍ କ୍ଲବ୍, ବ୍ରଦର୍ସ, ମନୋରଞ୍ଜନ ଦାସ ଏବଂ ପଟ୍ଟନାୟକ ବ୍ରଦର୍ସଙ୍କ ସମେତ ବହୁ ଲୋକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ନିଲାମ ସମୟରେ ଦର ବଢ଼ିବା ସହ ଉପସ୍ଥିତ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ି ଚାଲିଥିଲା।
ସମଗ୍ର ଆୟୋଜନକୁ ସୁନିଲ କୁମାର ସିଂହ ଏବଂ ଡିଗଲ ମିଶ୍ର ପରିଚାଳନା କରିଥିଲେ। ଆୟୋଜକ, ପରିବାର ସଦସ୍ୟ ଓ ଅଞ୍ଚଳବାସୀଙ୍କ ସହଯୋଗରେ ଏହି ନିଆରା ଲଡୁ ନିଲାମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ଦୀର୍ଘ ୧୨ ବର୍ଷର ପରମ୍ପରାକୁ ବଜାୟ ରଖି ପୁଣିଥରେ ସିଂହ ସାହିରେ ଜମିଥିଲା ଲଡୁ ନିଲାମର ଆସର। ଭକ୍ତି ଓ ପରମ୍ପରା ସହ ଜଡ଼ିତ ଏହି ନିଆରା ଆୟୋଜନରେ ୧୦୦ କେଜି ଲଡୁ ୬୭ ହଜାର ଟଙ୍କାରେ ନିଲାମ ହେବା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
