
ନିର୍ମାଣର ୩ ବର୍ଷ ନପୂରୁଣୁ ଭୁଶୁଡ଼ିଲା ମୁଖ୍ୟମନ୍ତ୍ରୀ ସଡ଼କ: ନେଲାଣି ଦୁଇ ଜୀବନ, ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ପ୍ରଶାସନ….
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ ଗ୍ରାମ୍ୟ ଗମନାଗମନ କ୍ଷେତ୍ରରେ ବ୍ୟାପକ ନିମ୍ନମାନର କାର୍ଯ୍ୟ ଓ ବିଭାଗୀୟ ଦାୟିତ୍ୱହୀନତା ଯୋଗୁଁ ଏବେ ସ୍ଥାନୀୟ ଲୋକଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି। ରାୟଗଡ଼ଠାରୁ ତାଳମୁଣ୍ଡା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ଏବେ ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକଳ୍ପ ନିର୍ମାଣ ହୋଇ ଅତି କମରେ ୩ ବର୍ଷ ସୁଦ୍ଧା ପୂରିନଥିବା ବେଳେ ଏବେଠାରୁ ରାସ୍ତାର ପିଚୁ ସ୍ତର ଭୁଶୁଡ଼ି ଏଥିରେ ଏବେ ଗୋଟିଏ ନୁହେଁ, ବରଂ ଅନେକ ବଡ଼ ବଡ଼ ଗଭୀର ଗାତ ସୃଷ୍ଟି ହେଲାଣି।ଦିନ ଦ୍ୱିପ୍ରହରରେ ଗଲା ଦୁଇ ଜୀବନ:ପ୍ରକାଶଯୋଗ୍ୟ ଯେ, ଉକ୍ତ ବିପଦଜନକ ସ୍ଥାନରେ ପୂର୍ବରୁ ଅନେକ ଛୋଟବଡ଼ ଦୁର୍ଘଟଣା ଘଟିସାରିଛି। ଗତ କିଛି ଦିନ ପୂର୍ବେ ଦିନ ବେଳେ ଏହି ରାସ୍ତା ଦେଇ ଯାଉଥିବା ଏକ ପେଟ୍ରୋଲ୍ ବୋଝେଇ ଗାଡ଼ି ଏହି ମରଣାତ୍ମକ ଗାତ ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ଦିନ ଆଲୋକରେ ମଧ୍ୟ ଏହି ଗାତଗୁଡ଼ିକର ଭୟାବହତା ଏଭଳି ଥିଲା ଯେ, ଗାଡ଼ିଟି ଓଲଟି ପଡ଼ିବାରୁ ଦୁଇ ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମର୍ମନ୍ତୁଦ ମୃତ୍ୟୁ ଘଟିଥିଲା। ଦିନ ଦ୍ୱିପ୍ରହରରେ ଏତେ ବଡ଼ ଜୀବନହାନି ପରେ ମଧ୍ୟ ପ୍ରଶାସନର ଚେତା ନଫେରିବା ସ୍ଥାନୀୟ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିଷ୍କ୍ରିୟ:ରାସ୍ତା ତଳୁ ମାଟି ଧୋଇଯିବା ଫଳରେ ସମଗ୍ର ଅଞ୍ଚଳରେ ପିଚୁ ଭିତରୁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଏବଂ ଭାରୀଯାନ ଚଳାଚଳ ସମୟରେ ତାହା ହଠାତ୍ ଭୁଶୁଡ଼ି ବଡ଼ ବଡ଼ ଗାତରେ ପରିଣତ ହେଉଛି। କୌଣସି ଆସନ୍ନ ଅଘଟଣକୁ ଏଡ଼ାଇବା ପାଇଁ ଏବେ ସ୍ଥାନୀୟ ଲୋକେ ନିଜ ଆଡ଼ୁ ସେହି ଗଭୀର ଗାତଗୁଡ଼ିକ ଚାରିପାଖରେ ବଡ଼ ବଡ଼ ପଥର ରଖି ଚାଳକମାନଙ୍କୁ ସତର୍କ କରାଉଛନ୍ତି। ଏହି ଗୁରୁତର ସମସ୍ୟା ନେଇ ଅଞ୍ଚଳବାସୀ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଗୁହାରି କରିଛନ୍ତି। କିନ୍ତୁ ଅଦ୍ୟାବଧି ପ୍ରଶାସନ ତରଫରୁ କୌଣସି ବାରିକେଡ୍ ବ୍ୟବସ୍ଥା କରାଯାଇ ନାହିଁ କି ରାସ୍ତା ମରାମତି ପାଇଁ ତତ୍ପରତା ପ୍ରକାଶ ପାଇନାହିଁ।ପ୍ରଶାସନର ଏହି ଚରମ ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଦି ତୁରନ୍ତ ଏହି ମୁଖ୍ୟମନ୍ତ୍ରୀ ସଡ଼କର ସ୍ଥାୟୀ ପ୍ରତିକାର ଓ ଉପଯୁକ୍ତ ମରାମତି କରା ନଯାଏ, ତେବେ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାସ୍ତା ଅବରୋଧ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
