ହରଭଙ୍ଗା ବ୍ଲକ୍ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ l ସଚେତନତା ଓ ସହାୟତା ପ୍ରଦାନ ମୁଖ୍ୟ ଉଦ୍ଦେଶ୍ୟ l
ବୌଦ୍ଧ, ତା. ୨୧/୦୯
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ସୁବିଧା, ଅଧିକାର ଓ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ସହ ସେମାନଙ୍କୁ ଆବଶ୍ୟକ ସହାୟତା ଓ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ହରଭଙ୍ଗା ବ୍ଲକ୍ କାର୍ଯ୍ୟାଳୟ, ଚାରିଛକଠାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଅମିତାଭ ଦାସ ଏବଂ ହରଭଙ୍ଗା ବିଡିଓ କର୍ଣ୍ଣ ସୁନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଜନ ଶୁଣାଣୀ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୧୧୮ ଜଣ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜୀକୃତ ହୋଇ ବିଭିନ୍ନ ସରକାରୀ ସେବା ଓ ସୁବିଧା ପାଇଥିଲେ। ଏଥିରେ ୨ଟି ହ୍ୱିଲ୍ଚେୟାର ବଣ୍ଟନ, ୧୮ ଜଣଙ୍କୁ ଭତ୍ତା ପ୍ରଦାନ, ୩୩ ଜଣଙ୍କ ନୂତନ UDID କାର୍ଡ/ପ୍ରମାଣପତ୍ର ପାଇଁ ପଞ୍ଜୀକରଣ ଏବଂ ୭ ଜଣଙ୍କୁ ବସ୍ ପାସ୍ ପ୍ରଦାନ ସହିତ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଷାନଙ୍କ ନେତୃତ୍ୱରେ ଶିବିରଟି ଆୟୋଜିତ ହୋଇଥିଲା। ବିଭିନ୍ନ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀମାନେ ଶିବିରର ସୁଚାରୁ ଆୟୋଜନ ଓ ସେବା ପ୍ରଦାନରେ ସହଯୋଗ କରିଥିଲେ।ଭିନ୍ନକ୍ଷମ ବ୍ୟକ୍ତିମାନେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଓ ଅଧିକାରରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏଭଳି ଶିବିର ଆୟୋଜନ ଜାରି ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
