ଲଗାଣ ବର୍ଷାରେ ପୋଲ ଭାସି ଗଲାବାହ୍ୟଜଗତରୁ ବିଚ୍ଛିନ୍ନ ସିଙ୍ଗମିଲା ଗ୍ରାମ।
ବାଲିଗୁଡ଼ା : ନି. ପ୍ର ୨୨/୦୯
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମ ପଞ୍ଚାୟତର ସିଙ୍ଗମିଲା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗ୍ରାମକୁ ଯୋଗାଯୋଗ କରୁଥିବା ଏକ ଛୋଟ ପୋଲ ଭାସିଯିବାରୁ ଗ୍ରାମବାସୀ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି।ପୋଲଟି ଭାସିଯିବା ଫଳରେ ଛାତ୍ରଛାତ୍ରୀଙ୍କ ହାଇସ୍କୁଲ ଓ କଲେଜ ଯାତାୟାତ ସମେତ ଦୈନନ୍ଦିନ ଆବଶ୍ୟକତା ପାଇଁ ଗମନାଗମନରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୋଲଟି କିଛି ବର୍ଷ ପୂର୍ବେ ନିର୍ମାଣ ହୋଇଥିଲେ ମଧ୍ୟ ପ୍ରାୟ ତିନି ବର୍ଷ ଧରି ଏହାର ସ୍ଥିତି ଦୁର୍ବଳ ରହିଥିଲା।ପୋଲର ଦୁର୍ବଳ ଅବସ୍ଥା ନେଇ ଗ୍ରାମବାସୀ ପୂର୍ବରୁ ବ୍ଲକ, ପଞ୍ଚାୟତ ଓ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ତେବେ ଅଭିଯୋଗ ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଞ୍ଚଳବାସୀଙ୍କ ଅଭିଯୋଗ।
ଏହି ପରିସ୍ଥିତିରେ ଗତକାଲି ଲଗାଣ ବର୍ଷା ହେବା ପରେ ଦୁର୍ବଳ ପୋଲଟି ସମ୍ପୂର୍ଣ୍ଣ ଭାବେ ଭାସିଯାଇଥିବା ଦେଖିବାକୁ ମିଳିଛି। ଫଳରେ ସିଙ୍ଗମିଲା ଗ୍ରାମବାସୀ ଯାତାୟାତ ପାଇଁ ଭାରି ଦୁର୍ଦ୍ଦଶା ଭୋଗୁଛନ୍ତି।
ବିଶେଷକରି ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବା ସହ ଯଥାଶୀଘ୍ର ଏକ ଅସ୍ଥାୟୀ ପୋଲ ନିର୍ମାଣ କରି ଗ୍ରାମବାସୀଙ୍କ ଯାତାୟାତ ସମସ୍ୟା ଦୂର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ସେହିପରି ଭବିଷ୍ୟତରେ ଏଭଳି ସମସ୍ୟା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ଉକ୍ତ ସ୍ଥାନରେ ଏକ ସ୍ଥାୟୀ ଓ ମଜବୁତ ପୋଲ ନିର୍ମାଣ କରାଯିବାକୁ ମଧ୍ୟ ଗ୍ରାମବାସୀ ଦାବି ଜଣାଇଛନ୍ତି।
