
ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଲେ ନଗରପାଳ ପବିତ୍ର ଭୁତିଆ
ତାଳଚେର:(ମନୋଜ ରାଉତ)(ନିପ୍ର): ତାଳଚେର ସହରରେ ଚାଲିଥିବା ଗଣପର୍ବ ଗଣେଶ ପୂଜାର ଉତ୍ସବମୁଖର ପରିବେଶ ମଧ୍ୟରେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ତାଳଚେର ନଗରପାଳ ପବିତ୍ର ଭୁତିଆ। ତାଙ୍କ ସହିତ ଉପନଗରପାଳ ଶ୍ରୀମତୀ ଅନିତା ବିଶ୍ୱାଳ, କାଉନସିଲର ଯଶବନ୍ତ ମିଶ୍ରଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ସହଯୋଗୀମାନେ ଉପସ୍ଥିତ ଥିଲେ।
ତାଳଚେର ସହରର ବିଭିନ୍ନ ୱାର୍ଡରେ ଆୟୋଜିତ ହୋଇଥିବା ଗଣେଶ ପୂଜା ମଣ୍ଡପଗୁଡ଼ିକୁ ବୁଲି ନଗରପାଳ ପୂଜାର ଆୟୋଜନ, ସାଜସଜ୍ଜା ଓ ଭକ୍ତଙ୍କ ପାଇଁ ହୋଇଥିବା ବ୍ୟବସ୍ଥାକୁ ଦେଖିଥିଲେ। ପୂଜା କମିଟିର ସଦସ୍ୟ ଓ ଯୁବକମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉତ୍ସାହକୁ ବଢ଼ାଇଥିଲେ।
ବିଶେଷକରି ତାଳଚେର ପୌରାଞ୍ଚଳର ୨ ନମ୍ବର ୱାର୍ଡ ବ୍ରାହ୍ମଣ ଶାସନ ଗଣେଶ ପୂଜା ମଣ୍ଡପରେ ନଗରପାଳ ପବିତ୍ର ଭୁତିଆଙ୍କୁ ପୂଜା କମିଟି ପକ୍ଷରୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପୂଜା କମିଟିର କର୍ମକର୍ତ୍ତା ଓ ଯୁବକମାନେ ତାଙ୍କୁ ସ୍ୱାଗତ କରିଥିଲେ।
ଏହି ଅବସରରେ ନଗରପାଳ ପବିତ୍ର ଭୁତିଆ ପୂଜା କମିଟିର ଯୁବକମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ। ଗଣେଶ ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ତାଳଚେରର ସାମାଜିକ ଏକତା, ଭାଇଚାରା ଓ ଯୁବଶକ୍ତିର ଏକ ବଡ଼ ମିଳନସ୍ଥଳ ବୋଲି ସେ ମତବ୍ୟକ୍ତ କରିଥିଲେ।
ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼, ଆଲୋକସଜ୍ଜା, ତୋରଣ ଓ ବିଭିନ୍ନ ପ୍ରକାରର ସାଜସଜ୍ଜା ଗଣେଶ ପୂଜାର ମାହୋଲକୁ ଆହୁରି ଆକର୍ଷଣୀୟ କରିଥିବା ଦେଖାଯାଇଥିଲା। ନଗରପାଳଙ୍କ ମଣ୍ଡପ ପରିଦର୍ଶନକୁ ନେଇ ପୂଜା କମିଟି ଓ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଥିଲା।
ତାଳଚେରର ଗଣେଶ ପୂଜା ଦିନକୁ ଦିନ ଏକ ବଡ଼ ଗଣପର୍ବର ରୂପ ନେଉଥିବା ବେଳେ, ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ଜନପ୍ରତିନିଧିମାନେ ପୂଜା କମିଟି ଓ ଯୁବକମାନଙ୍କୁ ଉତ୍ସାହିତ କରିବା ଉତ୍ସବର ଉତ୍ସାହକୁ ଆହୁରି ବଢ଼ାଇଛି।
ଏହି ପରିଦର୍ଶନ ସମୟରେ ପୂଜା କମିଟିର କର୍ମକର୍ତ୍ତା, ସଦସ୍ୟ, ସ୍ଥାନୀୟ ଯୁବକ ଓ ଅଞ୍ଚଳବାସୀଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ।
