ରଘୁନାଥପୁର ବ୍ଲକ ର ବିଭିନ୍ନ ପୂଜା ମଣ୍ଡପରେ ଗଣେଶ ପୂଜା ପାଳିତ l
ରଘୁନାଥପୁର(ନି.ପ୍ର): ପାର୍ବଣ ଋତୁର ଆଗମନ ଆରମ୍ଭ ରୁ ଧରା ପୃଷ୍ଠରେ ପୂଜା ପାଇବାକୁ ଅଗ୍ରପୁଜ୍ୟ ଶ୍ରୀ ଗଣେଶ ଅବତରଣ କଲେ l ଏଥିପାଇଁ
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ, ଚିତାକର୍ଷକ ରଙ୍ଗ ବେରଙ୍ଗ ସାଜସଜା ଓ ସୁନ୍ଦର ତୋରଣ ସାଙ୍ଗକୁ ଆଲୋକମାଳା ଶ୍ରଦ୍ଧାଳୁ ମାନଙ୍କ ମନମୋହି ଦେଉଛି l ରଘୁନାଥପୁର ବଡ଼ବଜାର, ସାନ ବଜାର ସହିତ ତରିକୁନ୍ଦ, ବରାଗୋଳ, ଜଇଶୋଳ, ବିରାଟକଟକ, ପୁରଣ ଓଡ଼ପଡ଼ା, ଜଗନ୍ନାଥପୁର, ଧରାଧରପୁର, ଗୁଆଳିପୁର, ପାଟେଣିଗାଁ, ରାଧାନଗର, ଅଢ଼େଇକୂଳ, ତଅଁରା, ସାଦେଇପୁର, ତାରପୁର, ଛପଡା, ରେଢୁଆ, ରାଢଙ୍ଗ, ଚିକିଣିଆ ଓ ଏରଡ଼ଙ୍ଗା ଆଦି ଅଂଚଳର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ ହେଉଥିବା ବେଳେ ସମସ୍ତ ସ୍କୁଲ କଲେଜ ମାନଙ୍କରେ ମହାଆନନ୍ଦ ଉଲ୍ଲାସରେ ବି ପୂଜା ସମ୍ପନ୍ନ କରାଯାଇଛି। ଆଖ ପାଖ ଅଞ୍ଚଳ ରେ ଭକ୍ତିମୟ ପରିବେଶ ସାଙ୍ଗକୁ ବିପୁଳ ଆନନ୍ଦ ଉଲ୍ଲାସ ର ସହ ସନ୍ଧ୍ୟାରେ ଆଲୋକ ମାଳାରେ ମଣ୍ଡପ ସବୁ ଉତ୍ସବ ମୁଖର ହୋଇପଡୁଛି l ଶ୍ରୀ ଗଣେଶ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ, ମେଲୋଡି ଓ ଅନ୍ୟାନ୍ୟ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ସେହିପରି ଚାନ୍ଦପୁର ଗ୍ରାମରେ ଗ୍ରାମବାସି ଓ କିଛି ଯୁବ ଗୋଷ୍ଠୀ ୧୮ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ସାଙ୍ଗକୁ ଆଲୋକ ସଜା ଓ ବିରାଟ ତୋରଣ ପରିବେଶକୁ ବେଶ ଆକର୍ଷିତ କରି ପାରିଛି ।
