୮୩ତମ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାସ୍ତା ଓ ସେତୁ ବିକାଶ ସହ ଶିକ୍ଷା, ଛାତ୍ରାବାସ ଓ ପାନୀୟଜଳ ସମସ୍ୟାର ତ୍ୱରିତ ସମାଧାନ ଉପରେ ଆଲୋଚନା
ରାୟଗଡ଼, ୦୮/୦୯/୨୦୨୬:
ରାୟଗଡ଼ ଜିଲ୍ଲା ପରିଷଦର ୮୩ତମ ଜିଲ୍ଲା ପରିଷଦ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସରସ୍ବତୀ ମାଝୀଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗ ଅଧୀନରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯିବା ସହ ଶିକ୍ଷା, ରାସ୍ତା ଓ ସେତୁ, ପାନୀୟଜଳ, ଛାତ୍ରାବାସ, ପରିମଳ ଓ ଜନସେବା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ମାନ୍ୟବର ବିଧାୟକ ରାୟଗଡ ଶ୍ରୀ କାଡ୍ରାକା ଆପାଲା ସ୍ୱାମୀ, ମାନ୍ୟବର ବିଧାୟକ ବିଷମକଟକ ଶ୍ରୀ ନୀଳମାଧଵ ହିକକା, ମାନ୍ୟବର ବିଧାୟକ ଗୁଣପୁର ଶ୍ରୀ ସତ୍ୟଜିତ ଗମାଙ୍ଗୋ, ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ଜନପ୍ରତିନିଧି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ବିକାଶ କାର୍ଯ୍ୟର ସ୍ଥିତି ଓ ଭବିଷ୍ୟତ କାର୍ଯ୍ୟଯୋଜନା ଉପରେ ମତବିନିମୟ କରିଥିଲେ।
ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ସମୟରେ ଜିଲ୍ଲାରେ ଲୋକଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗରେ ମାନବ ସମ୍ବଳ/କର୍ମଚାରୀ ନିଯୁକ୍ତି ଏବଂ ରୋଗୀଙ୍କୁ ଅନାବଶ୍ୟକ ଭାବେ ଅନ୍ୟ ଜିଲ୍ଲାକୁ ରେଫର୍ ନକରି, ଜିଲ୍ଲା ମଧ୍ୟରେ ସମ୍ଭବ ସମସ୍ତ ଚିକିତ୍ସାସେବା ଯୋଗାଇବା ଉପରେ ଆଲୋଚନା ହୋଇଥିଲା। ଏଥିସହ ଖାଦ୍ୟ ନିରୀକ୍ଷଣ (Food Inspection) କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ଏବଂ ଜନସାଧାରଣଙ୍କୁ ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସର ଉପଲବ୍ଧତା ଓ ତ୍ୱରିତ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବା, CHCଗୁଡ଼ିକର କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଆବଶ୍ୟକ ସେବା ନିରବଚ୍ଛିନ୍ନ ଭାବେ ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏହା ସହ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସମୟୋପଯୋଗୀ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଟିକା ସମୟୋପଯୋଗୀ ଭାବେ ପହଞ୍ଚାଇବା ଓ ବଣ୍ଟନ ଉପରେ ବୈଠକରେ ଆଲୋଚନା କରାଯାଇଥିଲା।
ରାୟଗଡ଼ R&B ବିଭାଗ ଅଧୀନରେ ରାସ୍ତା ଓ ସେତୁ ଭିତ୍ତିଭୂମିର ବିକାଶ ସମ୍ପର୍କରେ ବୈଠକରେ ବିସ୍ତୃତ ତଥ୍ୟ ଉପସ୍ଥାପିତ ହୋଇଥିଲା। R&B Division-II ଅଧୀନରେ ମୋଟ ୫୧୧.୫୮୦ କି.ମି. ରାସ୍ତା ରହିଥିବା ବେଳେ R&B Division-I ଅଧୀନରେ ମୋଟ ୪୪୧.୨୦୯ କି.ମି. ରାସ୍ତା ରହିଛି। ବୈଠକରେ ଗୁଣୁପୁର–ପୁଟସିଂ ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ, ପାରଳାଖେମୁଣ୍ଡି ବର୍ଡର–ବାଙ୍ଗି ଜଙ୍କସନ ରାସ୍ତାର ୪-ଲେନ୍ କାର୍ଯ୍ୟ, ବିଷମକଟକ–କୁଟ୍ରାଗଡ଼ ରାସ୍ତା ଏବଂ ଡୁକୁମ–ଦୁର୍ଗୀ ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ସମୟରେ ଆଗାମୀ ବୋର୍ଡ ପରୀକ୍ଷାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ A1 ଓ A2 ଗ୍ରେଡ୍ରେ ସଫଳ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଦର୍ଶନରେ ଉନ୍ନତି ପାଇଁ ବିଦ୍ୟାଳୟସ୍ତରରେ ଅତିରିକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ବିଶେଷକରି ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଅତିରିକ୍ତ କ୍ଲାସ୍ ଆୟୋଜନ କରାଯାଉଥିବା ନେଇ ବୈଠକରେ ଅବଗତ କରାଯାଇଥିଲା। ବିଦ୍ୟାଳୟଗୁଡ଼ିକରେ ପାନୀୟଜଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନର ଗୁଣବତ୍ତା, ସଚେତନତା ଅଭିଯାନ, CCTV ସ୍ଥାପନ, ଛାତ୍ରାବାସର ସୁରକ୍ଷା ଏବଂ ନିୟମିତ Parent-Teacher Meeting ଆୟୋଜନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପୁରୁଷ ଛାତ୍ରାବାସଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ୱାର୍ଡେନ୍ ନିଯୁକ୍ତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଓ ବ୍ୟକ୍ତିତ୍ୱ ବିକାଶ ପାଇଁ NGO ସହଯୋଗରେ କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ ଉପରେ ଆଲୋଚନା କରାଯାଇଥିଲା। ଛାତ୍ରାବାସରେ ଶୌଚାଳୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି, ଆବଶ୍ୟକ ମରାମତି ଓ ଭିତ୍ତିଭୂମିର ସୁଧାର ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା।
RWSS ବିଭାଗର କାର୍ଯ୍ୟ ସମୀକ୍ଷା ସମୟରେ ବିଭିନ୍ନ ଅଞ୍ଚଳରେ ପାନୀୟଜଳ ସମସ୍ୟା ଓ ଏହାର ତୁରନ୍ତ ସମାଧାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜଳସଙ୍କଟ ଦେଖାଦେଉଥିବା ଅଞ୍ଚଳରେ ତ୍ୱରିତ ପଦକ୍ଷେପ, ଆବଶ୍ୟକସ୍ଥଳରେ ବୋରୱେଲ୍ ସ୍ଥାପନ ଏବଂ ନିରନ୍ତର ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ବିଭାଗକୁ ପ୍ରାଥମିକତା ଦେବା ପାଇଁ ଆଲୋଚନା କରାଯାଇଥିଲା।
ବୈଠକରେ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ, ଗୁଣବତ୍ତା ସହିତ ସମ୍ପନ୍ନ କରିବା ସହ ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ ସେବାର ସୁଫଳ ଜିଲ୍ଲାର ଶେଷ ସୀମାରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
