ମୁଣ୍ଡାରୀ ଭାଷା ଆନ୍ଦୋଳନ ସମ୍ବନ୍ଧୀୟ ସଚେତନତା ବୈଠକ ଅନୁଷ୍ଠିତ:
୦୬/୦୯/୨୦୨୬: ମୁଣ୍ଡାରୀ ଭାଷାର ସାମାଜିକ ଓ ସାମ୍ବିଧାନିକ ସ୍ୱୀକୃତି ହାସଲ କରିବା ସହ ଏହାର ଗୌରବ ଓ ସମ୍ମାନର ସୁରକ୍ଷା ନିମନ୍ତେ ‘ମୁଣ୍ଡାରୀ ଭାଷା ସମନ୍ୱୟ କମିଟି’ ପକ୍ଷରୁ ତୃଣମୂଳ ସ୍ତରରେ ଏକ ବ୍ୟାପକ ସଚେତନତା ଅଭିଯାନ ଜାରି ରହିଛି। ଏହି କ୍ରମରେ ଭାଷାଭାଷୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରେ ଜନସଚେତନତା ବୈଠକମାନ ଆୟୋଜନ କରାଯାଇ ମୁଣ୍ଡାରୀ ଭାଷା ଶିକ୍ଷା କେନ୍ଦ୍ର (ବିଦ୍ୟାଳୟ) ସ୍ଥାପନ କରାଯାଉଛି। ଏହି ବିଦ୍ୟାଳୟଗୁଡ଼ିକରେ ପ୍ରତ୍ୟେକ ରବିବାର ଦିନ କୋମଳମତି ଶିଶୁ ଓ ଆଗ୍ରହୀ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ନିଜସ୍ୱ ଲିପି ‘ମୁଣ୍ଡାରୀ ବାନି’ ମାଧ୍ୟମରେ ମାତୃଭାଷା ଶିକ୍ଷାଦାନ କରାଯାଉଛି।ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଡୁମୁରଡିହା ଏବଂ କଳାପାଣି ଗ୍ରାମରେ ପୃଥକ ପୃଥକ ଦୁଇଟି ସାଙ୍ଗଠନିକ ସଚେତନତା ବୈଠକ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଉକ୍ତ ବୈଠକରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ସାରସକଣା ବ୍ଲକ ଆବାହକ ଶ୍ରୀ କରମଚାନ୍ଦ ସିଂ ସଭାପତିତ୍ୱ କରିଥିଲେ। ଏଥିରେ ସମନ୍ୱୟ କମିଟିର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଇଂ ସୁନାରାମ ସିଂ, ପର୍ଯ୍ୟବେକ୍ଷକ ଶ୍ରୀ ରାମେଶ୍ୱର ସିଂ, ବଡ଼ସାହି ବ୍ଲକ ଆବାହକ ଶ୍ରୀ ବୈଦ୍ୟନାଥ ସିଂ, କୁଳିଅଣା ବ୍ଲକ ଆବାହକ ସତ୍ୟବାନ ସିଂ, ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ଶ୍ରୀ ବୁଧିଆ ସିଂ ଏବଂ ମୁଣ୍ଡା ସ୍ୱଶାସନ ଗୁଟୁଗାମର ସଭାପତି ଶ୍ରୀ ମନୋରଞ୍ଜନ ସିଂ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଇ ମୁଣ୍ଡାରୀ ଭାଷାର ସୁରକ୍ଷା ଓ ଏହାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ନେଇ ଦିଗଦର୍ଶନ ଦେଇଥିଲେ।ଶେଷରେ, ଉକ୍ତ ବୈଠକରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସର୍ବସମ୍ମତିକ୍ରମେ ଉକ୍ତ ଡୁମୁରଡିହା ଏବଂ କଳାପାଣି ଗ୍ରାମରେ ଦୁଇଟି ନୂତନ ମୁଣ୍ଡାରୀ ଭାଷା ବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ସର୍ବସମ୍ମତିକ୍ରମେ ଡୁମୁରଡିହା ଗ୍ରାମର ମୁଣ୍ଡାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ ଶାନ୍ତିଲତା ସିଂଙ୍କୁ ଏବଂ କଳାପାଣି ଗ୍ରାମରେ ମଧୁସ୍ମିତା ସିଂଙ୍କୁ ଶିକ୍ଷୟିତ୍ରୀ ଭାବେ ଚୟନ କରାଗଲା । ମୁଣ୍ଡାରୀ ବିଦ୍ୟାଳୟର ସୁପରିଚାଳନା ନିମନ୍ତେ ଦୁଇଟି ଗ୍ରାମରେ ମୁଣ୍ଡାରୀ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି । ଗ୍ରାମରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ପରିବେଶ ଦେଖାଦେଇଛି। ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ଦାବି ନେଇ ୧୫ ନଭେମ୍ବର ୨୦୨୬ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ବାରିପଦାଠାରେ ଆୟୋଜିତ ହେବାକୁଥିବା ଜିଲ୍ଲା ସ୍ତରୀୟ ମହାସମାବେଶରେ ଯୋଗଦାନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି ।
