ରଘୁନାଥପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି, ନିର୍ଦେଶ କିଛି କାର୍ଯ୍ୟକାରୀ ହେଉନି।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଳା ରଘୁନାଥପୁର ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ ଵି ନିର୍ଦେଶ କିଛି କାର୍ଯ୍ୟକାରୀ ହେଉନି ଓ ବାରମ୍ବାର ଦୌଡିବାକୁ ପଡୁଛି ବୋଲି ବାହାରେ ଆଲୋଚନା ହେଉଥିଲା। ଏହି ଶିବିରରେ ମୋଟ ୧୧୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୦୪ ଗୋଟି, ଗୋଷ୍ଠୀଗତ ସମସ୍ୟା ଓ ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୫ ଟି ଅଭିଯୋଗ ହୋଇଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମ୍ବନ୍ଧୀୟ ୯ ଟି, ଆବାସ ଯୋଜନା ସମ୍ପର୍କୀୟ ୧୮ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୧୩ ଟି, ପୋଲିସ୍ ସହାୟତା ପାଇବା ପାଇଁ ୩ ଟି, ଭତ୍ତା ପାଇବା ପାଇଁ ୨ ଟି ଏବଂ ଅନ୍ୟାନ୍ୟ ୧୬ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଶୁଣାଣି ସମୟରେ ୪୩ ଟି ଅଭିଯୋଗର ତତକ୍ଷଣାତ ଫଇସଲା କରାଯାଇଥିଵା ବେଳେ ଜୟସୋଳ ପଞ୍ଚାୟତର ଏକ ରାସ୍ତା, ଷ୍ଟ୍ରିଟ ଲାଇଟ୍ ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ସବୁକୁ ନେଇ ଶତାଧିକ ଦଳିତ ଶ୍ରେଣୀର ମହିଳା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ବାରମ୍ବାର ଏ ନେଇ ଜିଲ୍ଲା ପ୍ରଶାସନ ଙ୍କ ପାଖେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଥିଲେ।ତେବେ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ସୋନାଲ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ରଘୁନାଥପୁର ଥାନାରେ କିଛି ପୋଲିସ ଅଧିକାରୀଙ୍କ ଖରାପ ବ୍ୟବହାର ଥିବାରୁ ଲୋକଙ୍କୁ ସଠିକ ନ୍ୟାୟ ମିଳୁନି ଓ ଅଫିସ କୁ କର୍ମଚାରୀ ଠିକ ସମୟରେ ଆସୁନାହାନ୍ତି ବୋଲି ଅଭିଯୋଗ ବି ଆସିଥିଲା l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ , ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅକ୍ଷୟ ପିଲ୍ଲେ, ରଘୁନାଥପୁର ବିଡିଓ ବିରଞ୍ଚି ନାରାୟଣ ବେହେରା, ତହସିଲଦାର ରାଜଲକ୍ଷ୍ମୀ ନାୟକ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।
