ବନ୍ୟା ପୀଡ଼ିତଙ୍କୁ ଜନ୍ମଦିନରେ ରିଲିଫ ବଣ୍ଟନ।
ଉତ୍ସବ ନୁହେଁ, ସେବାକୁ ପ୍ରାଥମିକତା ଦେଲେ ମହେଶପୁର ସରପଞ୍ଚ।
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ
ଭୋଗରାଇ ଅଞ୍ଚଳରେ ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହୋଇ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି ମହେଶପୁର ସରପଞ୍ଚ ବରେନ୍ଦ୍ର ପାତ୍ର। ଜନ୍ମଦିନରେ ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ପାଳନ ନକରି ସେବାକୁ ପ୍ରାଥମିକତା ଦେଇଛନ୍ତି ସରପଞ୍ଚ। ଭୋଗରାଇ ଅଞ୍ଚଳର ପ୍ରାୟ ୫ଟି ପଞ୍ଚାୟତର ପାଖାପାଖି ୭୦୦ ଜଣ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ସହ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଏହି ସମୟରେ ବରେନ୍ଦ୍ର ପାତ୍ର ବନ୍ୟା ପୀଡ଼ିତଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଦୁଃଖ ବୁଝିଥିଲେ। ବନ୍ୟା ବିପନ୍ନମାନେ ନିଜ ନିଜ ସମସ୍ୟା ସରପଞ୍ଚଙ୍କ ନିକଟରେ ଜଣାଇଥିବା ବେଳେ, ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବରେନ୍ଦ୍ର ପାତ୍ର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ନିଜ ଜନ୍ମଦିନର ଖୁସିକୁ ବନ୍ୟା ପୀଡ଼ିତଙ୍କ ସହ ବାଣ୍ଟିବା ସହ ସେମାନଙ୍କ ଦୁଃଖରେ ସାମିଲ ହୋଇଛନ୍ତି ସରପଞ୍ଚ। ତାଙ୍କର ଏହି ନିଆରା ପ୍ରୟାସ ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ଏକ ହାତ ବଢ଼ାଇବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଉତ୍ସବ ନୁହେଁ, ସେବାକୁ ପ୍ରାଥମିକତା—ଏଭଳି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରି ସ୍ମରଣୀୟ କରିଛନ୍ତି ବରେନ୍ଦ୍ର ପାତ୍ର।
