ବୌଦ୍ଧରେ ସିଏମ୍-କିଷାନ୍ ସହାୟତା ବଣ୍ଟନ
ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ l ୫୩,୯୧୦ ଜଣ କୃଷକ ଉପକୃତ ହେବେ l
ବୌଦ୍ଧ, ତା. ୦୪/୦୯
କୃଷକଙ୍କ ଆର୍ଥିକ ସଶକ୍ତିକରଣ ଏବଂ କୃଷି କ୍ଷେତ୍ରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ବୌଦ୍ଧ ଟାଉନ୍ ହଲ୍ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳକିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଏବଂ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ ବୌଦ୍ଧ କୃଷି ଜିଲ୍ଲା ଅଧିକାରୀ ରାଜେଶ ଚୌଧୁରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।
କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପୂର୍ବରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ସି.ଏମ୍-କିଷାନ୍’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୪୧ ଲକ୍ଷରୁ ଅଧିକ କୃଷକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ବାବଦରେ ୮୩୩ କୋଟିରୁ ଅଧିକ ଟଙ୍କା ଡିବିଟି (DBT) ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରିଥିଲେ।ଏହାର ସିଧା ପ୍ରସାରଣ ବୌଦ୍ଧରେ ପ୍ରଦର୍ଶିତ ହୋଇଥିଲା l ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ ଚାଷୀ ମାନଙ୍କୁ ଶୁଭେଚ୍ଛା ଜଣାଇ କହିଲେ ଯେ କୃଷକ ମାନେ ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ l ସରକାର କୃଷକମାନଙ୍କ ଆୟ ବୃଦ୍ଧି ଓ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ନିରନ୍ତର ସହାୟତା ଯୋଗାଇ ଆସୁଛନ୍ତି । ଏହି ସହାୟତା ରାଶି ଆଗାମୀ ରବି ଫସଲ ଚାଷ ପାଇଁ ଆବଶ୍ୟକ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କ୍ରୟରେ କୃଷକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ l
ବୌଦ୍ଧ ଜିଲ୍ଲାରେ ଏହି ଯୋଜନା ଅଧୀନରେ ୫୩,୭୩୭ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭୩ ଜଣ କୃଷି ଶ୍ରମିକ, ସର୍ବମୋଟ ୫୩,୯୧୦ ଜଣ ହିତାଧିକାରୀ, ମୋଟ ୧୦,୮୧,୮୧,୫୦୦ ଟଙ୍କାର ସହାୟତା ରାଶି ପାଇବେ। ଜିଲ୍ଲାପାଳ ଶ୍ରୀ ନାୟକ କୃଷକମାନଙ୍କୁ ସରକାରଙ୍କ ବିଭିନ୍ନ କୃଷି ଓ କୃଷକ କଲ୍ୟାଣ ଯୋଜନାର ସୁଯୋଗ ନେଇ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବାକୁ ପରାମର୍ଶ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କୃଷକଙ୍କ ସମେତ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏହି ସମାରୋହରେ ଯୋଗଦେଇଥିଲେ।
