ରାକ୍ଷୀ ପୂର୍ଣ୍ଣିମାରେ ପରଜଙ୍ଗ ମିଡ଼ିଆ କ୍ଲବର ଶୁଭାରମ୍ଭ
ରକ୍ତଦାନ, ବୃକ୍ଷରୋପଣ ଓ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
ପରଜଙ୍ଗ, ୨୭/୮ (ନିପ୍ର ଗୋକୁଳାନନ୍ଦ ବେହେରା)ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପରଜଙ୍ଗ ମିଡ଼ିଆ କ୍ଲବର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ କନ୍ଦରସିଂହାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ସହିତ ଔଷଧୀୟ ଓ ଫଳଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବରିଷ୍ଠ ସାମ୍ବାଦିକ ସୁବଳ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ପରଜଙ୍ଗ ମିଡ଼ିଆ କ୍ଲବର ଶୁଭାରମ୍ଭ କରାଯାଇଥିଲା। ସାମ୍ବାଦିକତା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସଙ୍ଗଠନ କାର୍ଯ୍ୟ କରିବ ବୋଲି କ୍ଲବ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କେବଳ ସାମ୍ବାଦିକତା ନୁହେଁ, ସମାଜସେବାକୁ ମଧ୍ୟ ପ୍ରାଥମିକତା ଦେଇ ଆଗାମୀ ଦିନରେ ପରଜଙ୍ଗ ମିଡ଼ିଆ କ୍ଲବ ପକ୍ଷରୁ ପରିବେଶ ସୁରକ୍ଷା, ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ନିଶା ନିବାରଣ ସଚେତନତା ଏବଂ ବିଭିନ୍ନ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
ବର୍ତ୍ତମାନ ପରଜଙ୍ଗ ବ୍ଲକର ୧୦ରୁ ଅଧିକ ସାମ୍ବାଦିକ ଏହି ମିଡ଼ିଆ କ୍ଲବ ସହିତ ଯୋଡ଼ି ହୋଇଥିବା ବେଳେ ଆଗାମୀ ଦିନରେ ସଙ୍ଗଠନର ପଞ୍ଜୀକରଣ କରାଯିବା ସହ ଏକ ସ୍ୱତନ୍ତ୍ର ନୂତନ କାର୍ଯ୍ୟାଳୟ ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ସତ୍ୟନିଷ୍ଠ ଓ ଦାୟିତ୍ୱବାନ ସାମ୍ବାଦିକତା ସହିତ ସମାଜର ଉନ୍ନତି ଓ ଜନସେବାକୁ ଗୁରୁତ୍ୱ ଦେଇ ପରଜଙ୍ଗ ମିଡ଼ିଆ କ୍ଲବ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ସମାଜମଙ୍ଗଳମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଉପସ୍ଥିତ ଅତିଥି ବ୍ଲକ ଉପାଧ୍ୟକ୍ଷା ଯଶସ୍ବୀନ ରାଉତ, ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ଜେନା , ଶିକ୍ଷକ ନେତା ନିରାକାର ପରିଡା, ସମାଜ ସେବୀ କଳ୍ପତରୁ ବିଶ୍ୱାଳ , ପରିବେଶ ବିତି ଅମୁଲ୍ୟ କୁମାର ସାହୁ, ଡାକ୍ତର ଶିବ ପ୍ରସାଦ ନାଥ ମତ ପ୍ରକାଶ କରିଛନ୍ତି।
