*ରାସ୍ତା ନୁହେଁ ଜମଦୂତ: ଚିନ୍ଦାଗୁଡାରୁ ମାଲପଡା ରାସ୍ତା ବିପର୍ଯ୍ୟସ୍ତ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୦/୦୮:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚିନ୍ଦାଗୁଡା ଗ୍ରାମରୁ ମାଲପଡା (ମାଣ୍ଡୋସିଲ) ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ (ଆର.ଡି.) ରାସ୍ତାର ଅବସ୍ଥା ଏବେ ଅତି ଦୟନୀୟ ହୋଇପଡ଼ିଛି। ଦୀର୍ଘ ଦିନ ହେବ ଏହି ରାସ୍ତାଟି ମରାମତି ଅଭାବରୁ ଶୋଚନୀୟ ହୋଇ ପଡ଼ିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ପ୍ରଶାସନର ଏଭଳି ଉଦାସୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ଚିନ୍ଦାଗୁଡାରୁ ମାଲପଡା (ମାଣ୍ଡୋସିଲ) କୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ଉପରେ ହଜାର ହଜାର ସାଧାରଣ ଜନତା ଓ ସ୍କୁଲ, କଲେଜ ପଢୁଥିବା ଛାତ୍ରଛାତ୍ରୀ ନିର୍ଭର କରିଥାନ୍ତି। ମାତ୍ର ବର୍ତ୍ତମାନ ସାରା ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଏହି ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଏପରିକି ଏହି ରାସ୍ତାରେ ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ଗାଡ଼ି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ହେଉଥିବା ଅଭିଯୋଗ ହେଉଛି।ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ରାସ୍ତା ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ। ପ୍ରଶାସନ ସତେ ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। ଯଦି ତୁରନ୍ତ ଏହି ଆର.ଡି. ରାସ୍ତାର ସ୍ଥାୟୀ ମରାମତି କାର୍ଯ୍ୟ କରା ନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଗ୍ରାମବାସୀ ରାଜପଥ ଅବରୋଧ ସହ ବୃହତ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
