*ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ*
*ମହିଳାମାନଙ୍କ ସମ୍ପର୍କିତ ୨୪ଟି ମାମଲା ଶୁଣାଣି*
ବରଗଡ଼, ୨୫/୦୮(ନି ପ୍ର )
ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଓ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି।
ମହିଳାମାନଙ୍କୁ ନ୍ୟାୟ, ସୁରକ୍ଷା ଓ ଆବଶ୍ୟକ ସହାୟତା ସହଜରେ ଉପଲବ୍ଧ କରାଇବା ଲକ୍ଷ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆୟୋଗ ପକ୍ଷରୁ ନିୟମିତ ଭାବେ ମାସିକ ଜିଲ୍ଲାଭିତ୍ତିକ ଶିବିର ଅଦାଲତ ଆୟୋଜନ ଦ୍ୱାରା ମହିଳାମାନଙ୍କୁ ନିଜ ଜିଲ୍ଲାରେ ହିଁ ଅଭିଯୋଗ ଜଣାଇବା ସହ ଆୟୋଗଙ୍କ ନିକଟରୁ ଆବଶ୍ୟକ ସହାୟତା ପାଇବାର ସୁଯୋଗ ମିଳୁଛି। ମହିଳାମାନେ ଯେପରି ନିଜର ଅଧିକାର, ସୁରକ୍ଷା ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସମ୍ପର୍କରେ ସଚେତନ ହେବା ସହ ନ୍ୟାୟ ଓ ସୁରକ୍ଷା ପାଇବାର ମାର୍ଗ ସମ୍ପର୍କରେ ଅବଗତ ହୋଇପାରିବେ, ସେଥିପାଇଁ ଆୟୋଗ ପକ୍ଷରୁ ଏଭଳି ଶିବିର ଆୟୋଜନ କରାଯାଇ ଆୟୋଗ ପକ୍ଷରୁ ସମସ୍ତ ସେବା ଓ ସହାୟତା ବିନା ମୂଲ୍ୟରେ ପ୍ରଦାନ କରାଯାଉଛି।
ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିର ଅଦାଲତରେ ଘରୋଇ ହିଂସା, ଯୌନ ଉତ୍ପୀଡ଼ନ, ପାରିବାରିକ ବିବାଦ, ଅପହରଣ, ମହିଳା ଚାଲାଣ ସମେତ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସହ ସମ୍ପୃକ୍ତ ସମ୍ପର୍କିତ ସମୁଦାୟ ୨୪ଟି ମାମଲା ଶୁଣାଣି କରି ୧୧ଟି ମାମଲାର ଆପୋଷ ସମାଧାନ କରାଯାଇଥିବାବେଳେ, ୬ଟି ମାମଲାକୁ ଆରକ୍ଷୀ ଅଧିକ୍ଷକ ଏବଂ ୪ଟି ମାମଲାକୁ ସୁରକ୍ଷା ଅଧିକାରୀଙ୍କ ନିକଟକୁ ସମାଧାନ ପାଇଁ ପ୍ରେରଣ କରାଯାଇଛି । ଅବଶିଷ୍ଟ ୩ଟି ମାମଲାରେ ସମ୍ପୃକ୍ତ ପକ୍ଷମାନଙ୍କ ପୁନର୍ବାର ଉପସ୍ଥିତି ପାଇଁ ନୋଟିସ୍ ଜାରି କରାଯାଇଛି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ଏବଂ ଶ୍ରୀମତୀ ପ୍ରତିଭା ଶତପଥୀ, ଡିଏସପି ବରଗଡ଼ ଶ୍ରୀମତୀ ଶିପ୍ରା କୁମାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ, ଆଇନ ଅଧିକାରୀ ଶ୍ରୀ ଅରବିନ୍ଦ ପଟ୍ଟନାୟକ, ମାନ୍ୟବର ଅଧ୍ୟକ୍ଷାଙ୍କ ଷ୍ଟେନୋଗ୍ରାଫର ତଥା ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ରହି ମହିଳାମାନଙ୍କ ପାଇଁ ସହଜରେ ନ୍ୟାୟ ଓ ପ୍ରତିଷ୍ଠାନଗତ ସହାୟତା ଉପଲବ୍ଧ କରାଇବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଆୟୋଗ ପକ୍ଷରୁ ଅଭିଯୋଗକାରୀମାନଙ୍କ ଠାରୁ ସିଧାସଳଖ ଭାବେ ସେମାନଙ୍କ ସମସ୍ୟା ଶୁଣାଯାଇ ମାମଲାଗୁଡ଼ିକର ଆଇନସମ୍ମତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଓ ପରାମର୍ଶ ପ୍ରଦାନ କରାଯାଇଥିଲା।
ମହିଳାମାନଙ୍କ ସମସ୍ୟାର ସମାଧାନ ପାଇଁ ଆୟୋଗଙ୍କ ପକ୍ଷରୁ ଜିଲ୍ଲାସ୍ତରରେ ଏଭଳି କ୍ୟାମ୍ପ କୋର୍ଟ ଆୟୋଜନ କରାଯିବା ଦ୍ୱାରା ମହିଳାମାନେ ନିଜ ସମସ୍ୟାକୁ ନିର୍ଭୟରେ ଉପସ୍ଥାପନ କରିବା ସହ ଆଇନଗତ ଅଧିକାର ଓ ଉପଲବ୍ଧ ସହାୟତା ବ୍ୟବସ୍ଥା ସମ୍ପର୍କରେ ଜାଣିପାରୁଛନ୍ତି। ଏହା ମହିଳାମାନଙ୍କୁ ନ୍ୟାୟ, ସୁରକ୍ଷା, ଅଧିକାର ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
