
ପକ୍କା ରାସ୍ତାରେ କାଦୁଅ ପାଣି, ଖଣ୍ଡିଆ ଖାବରା ଲୋକେ ହେଲେଣି
(ଭଞ୍ଜଦୂତ ଖବର): ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ପଶୁଦା ଗ୍ରାମ ପଞ୍ଚାୟତର ୧୩ ନମ୍ୱର ୱାର୍ଡରେ ମନ୍ଦିର ପାଖ ପକ୍କା ରାସ୍ତା କଥା ନ କହିବା ଭଲ । କଂକ୍ରିଟ ରାସ୍ତା ହୋଇ ମଧ୍ୟ ରାସ୍ତାରେ ଜମିଛି ପାଣି କାଦୁଅ। ଗ୍ରାମବାସୀମାନେ ସେହି ରାସ୍ତାରେ ଯିବାବେଳେ ଅନେକ ଥର ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। କେତେବେଳେ ପାଦ ଖସି ଯାଉଛି ତ କେତେବେଳେ ଗାଡ଼ି ଚକ। ବାଧ୍ୟ ହୋଇ ଗ୍ରାମବାସୀମାନେ ଏବେ ସେ ରାସ୍ତାକୁ ବାଉଁଶ ଦେଇ ବନ୍ଦ କରିଦେଇଛନ୍ତି। ଏ ଘଟଣା ବାବଦରେ ଗ୍ରାମବାସୀଙ୍କ ଦ୍ଵାରା ସରପଞ୍ଚଙ୍କୁ ଜଣାଯାଇଛି। ହେଲେ ଆଜିକୁ ପ୍ରାୟ ପାଞ୍ଚ ସାତ ଦିନରୁ ଅଧିକ ହେବ ହେଲେ କୌଣସି କାର୍ଯ୍ୟକାରୀ ହୋଇନାହିଁ। ଶେଷରେ ବିଡ଼ିଓଙ୍କୁ ଫୋନ୍ କରିବାରୁ ବିଡ଼ିଓ ଏତେ କାର୍ଯ୍ୟ ବ୍ୟସ୍ତତାରେ ଅଛନ୍ତି ଯେ ବାରମ୍ବାର କଲ କଲେ ମଧ୍ୟ ରିଶିଭ କରୁ ନାହାନ୍ତି କି କଲ ବେକ୍ ବି କରୁ ନାହାନ୍ତି। ଏମିତି ପୂର୍ବରୁ ଅନେକ ଘଟଣାରେ ବିଡ଼ିଓଙ୍କୁ କଲ କରାଯାଇଥିଲେ ସୁଦ୍ଧା ନା କଲ ରିଶିଭ କରନ୍ତି ନା କଲ ବେକ୍ କରନ୍ତି ବୋଲି ଜଣା ଯାଇଛି । ଶେଷରେ ଗ୍ରାମବାସୀ ପଞ୍ଚାୟତକୁ ଯିବାରୁ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଥାଶୀଘ୍ର ରାସ୍ତା ଟିକୁ ଯିବା ଆସିବା ଉପଯୋଗୀ କରାଇବେ।
