ପ୍ରତିଶ୍ରୁତିରେ ସୀମିତ ବିକାଶ!
ଡ୍ରେନ ସମସ୍ୟାରେ ଅତିଷ୍ଠ ଦେଓପୁର ବାସିନ୍ଦା, ନିଷ୍କ୍ରିୟ ରାୟଗଡା ଜିଲ୍ଲା ପ୍ରଶାସନ ବିରୋଧରେ ଫୁଟିଲା ଜନଅସନ୍ତୋଷ
ସ୍ଥାୟୀ ଡ୍ରେନ ନିର୍ମାଣ ଓ ସୋଲାର ପାନୀୟ ଜଳ ଟାଙ୍କି ସ୍ଥାପନ ଦାବି; ବାରମ୍ବାର ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନ ହେବାରୁ ପଞ୍ଚାୟତରେ ତାଲା ପକାଇବାକୁ ତୀବ୍ର ଚେତାବନୀ
ନିର୍ବାଚନ ସମୟରେ ବିକାଶର ପ୍ରତିଶ୍ରୁତି, ଆଉ ନିର୍ବାଚନ ପରେ ନିରବତା। ଏଭଳି ଅଭିଯୋଗ ଆଣି ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦାପଡ଼ା ପଞ୍ଚାୟତର ଦେଓପୁର ଗ୍ରାମବାସୀ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ଦୀର୍ଘଦିନ ଧରି ଡ୍ରେନ ଓ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ, ଏହାର ସ୍ଥାୟୀ ସମାଧାନ ନ ହେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ବସବାସ କରୁଥିବା ସାହିରେ ଅପରିଷ୍କାର ଡ୍ରେନ ଓ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ। ଶେଷରେ ପ୍ରଶାସନ ଉପରେ ଭରୋସା ହରାଇ ଗ୍ରାମବାସୀ ନିଜେ ଡ୍ରେନ ସଫେଇ କରିବାକୁ ବାଧ୍ୟ ହୋଇଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ, ନିର୍ବାଚନ ସମୟରେ ବର୍ତ୍ତମାନର ସରପଞ୍ଚ ନରସିଂହ କିଲାକା ଓ ଜିଲ୍ଲା ପରିଷଦ ସଦସ୍ୟ ଧବଳେଶ୍ୱର ନାଇଡ଼ୁ ବିକାଶ ଓ ମୌଳିକ ସମସ୍ୟାର ସମାଧାନର ପ୍ରତିଶ୍ରୁତି ଦେଇ ଭୋଟ ମାଗିଥିଲେ। କିନ୍ତୁ ନିର୍ବାଚିତ ହେବା ପରେ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ନ ଦେଇ ଉନ୍ନୟନ କାର୍ଯ୍ୟ ପରିବର୍ତ୍ତେ ନିଜସ୍ୱ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, କିଛି ମାସ ପୂର୍ବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲିଙ୍ଗରାଜ ତାଡିଙ୍ଗି ବାବୁ ଦେଓପୁର ଗ୍ରାମକୁ ଆସି ଡ୍ରେନ ସମସ୍ୟାର ସମୀକ୍ଷା କରିଥିଲେ ଏବଂ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ଗ୍ରାମବାସୀଙ୍କ ଅଭିଯୋଗ ଯେ, ପରବର୍ତ୍ତୀ ସମୟରେ ଡ୍ରେନ ନିର୍ମାଣ ପାଇଁ ଏଷ୍ଟିମେଟ୍ ଓ ୱାର୍କ ଅର୍ଡର ଜାରି କରିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ।
ଗ୍ରାମବାସୀଙ୍କ ମୁଖ୍ୟ ଦାବି ହେଉଛି ଦେଓପୁର ଗ୍ରାମରେ ସ୍ଥାୟୀ ପକ୍କା ଡ୍ରେନ ନିର୍ମାଣ କରାଯାଉ ଏବଂ ବିଶୁଦ୍ଧ ପାନୀୟ ଜଳ ପାଇଁ ସୋଲାର ପାନୀୟ ଜଳ ଟାଙ୍କି ସ୍ଥାପନ କରାଯାଉ। ସେମାନଙ୍କ କହିବା ଅନୁଯାୟୀ, ଏହା ଦୀର୍ଘଦିନର ଦାବି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପୂରଣ ହୋଇନାହିଁ।
ଏହାକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି— “ଲୋକଙ୍କ ଟିକସ ଟଙ୍କାରେ ଚାଲୁଥିବା ପ୍ରଶାସନ ଯଦି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିପାରୁନାହିଁ, ତେବେ ବିକାଶ କେଉଁଠି?” ଏବଂ ପ୍ରଶାସନର ଦେଓପୁର ଅନୁସୂଚିତ ଜାତି ବସବାସ କରୁଥିବା ସାହିକୁ ଏଭଳି ବୈମାତୃକ ମନଭାବ କଣ ପାଇଁ ?
ଅନ୍ୟପକ୍ଷରେ ଯେଉଁଠି ପ୍ରକୃତରେ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି ସେଠାରେ ପ୍ରଶାସନ ନୀରବ ରହୁଥିବା ବେଳେ, ଆବଶ୍ୟକତା ନଥିବା ସ୍ଥାନରେ କାର୍ଯ୍ୟ କରାଯାଉଛି। କେତେକ କାର୍ଯ୍ୟ କେବଳ କାଗଜପତ୍ରରେ ସୀମିତ ରହି ସରକାରୀ ଅର୍ଥ ହଡ଼ପ ହେଉଥିବା ଏବଂ ଠିକାଦାରଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଉଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ଗ୍ରାମବାସୀ ଆଣିଛନ୍ତି।
ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯେ, ଯଦି ତୁରନ୍ତ ସ୍ଥାୟୀ ଡ୍ରେନ ନିର୍ମାଣ, ସୋଲାର ପାନୀୟ ଜଳ ଟାଙ୍କି ସ୍ଥାପନ ଓ ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ କରାନଯାଏ, ତେବେ ସେମାନେ ଖେଦାପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଗଣଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ବର୍ତ୍ତମାନ ପ୍ରଶାସନ ଏହି ଚେତାବନୀକୁ କେତେ ଗୁରୁତ୍ୱର ସହ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
