ଓଭର ବ୍ରିଜରେ ୬ ମାସ ହେଲା ଜଳି ପାରିଲା ନାହିଁ ଉଜ୍ଜ୍ୱଳ ଆଲୋକ : ଫାଇଦା ନେଉଛନ୍ତି ଚୋର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର)- ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପରେ ଉତ୍ତରେଶ୍ୱରଠାରୁ ବରଫକଳ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଉଜ୍ଜ୍ୱଳ ଆଲୋକ ପାଇଁ ଗତ ୬ ମାସ ହେଲା ଲାଇଟ୍ ଖୁଣ୍ଟି ଲଗାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏଥିରେ ବିଦ୍ୟୁତ୍ ସଂଯୋଗ କରାଯାଇପାରି ନାହିଁ। ଫଳରେ ଉଭୟ ପାଶ୍ୱର୍ରେ ବିଭିନ୍ନ ଦୂର ଦୂରାନ୍ତରୁ ଆସୁଥିବା ବସ୍ଯାତ୍ରୀ ଏବଂ ଅନ୍ୟ ଯାତ୍ରୀମାନେ ଅନ୍ଧାରରେ ଘୋର ଅସୁବିଧାରେ ସମ୍ମୁଖୀନ ହେବା ସହ ଚୋର , ଡକାୟତ ମାନେ ଏହାର ଫାଇଦା ନେଉଛନ୍ତି। ସୂଚନାରୁ ପ୍ରକାଶ ଯେ ଏହି ବିଦ୍ୟୁତ୍ ଖୁଣ୍ଟିଗୁଡ଼ିକ ବ୍ରିଜ୍ଗୋପାଲ କନଷ୍ଟ୍ରକସନ କମ୍ପାନୀ ଲଗାଇଥିଲେ ସୁଦ୍ଧା ଏଥିରେ ବିଦ୍ୟୁତ୍ ସଂଯୋଗ କରୁନାହିଁ। ଏ ସଂପର୍କରେ କମ୍ପାନୀର ଅଧିକାରୀଙ୍କୁ ପଚାରିବାରରେ ସେ କହିଲେ ଯେ ଏହି ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ପାଇଁ ଏକ ସବ୍ଷ୍ଟେସନ ବସାଇବା ପାଇଁ ଆବଶ୍ୟକତା ଥିବା ବେଳେ ଏହାକୁ ଟାଟା ପାୱାର ତରଫରୁ ଅନୁମତି ମିଳିପାରୁ ନାହିଁ। ଯାହା ଫଳରେ ସଂଯୋଗ କରିବାରେ ବିଳମ୍ବ ଘଟୁଛି। ମାତ୍ର ବାହାନଗା, ଦହିସଡ଼ା , ନାୟକବନ୍ଧ ଛକ, ତଳନଗର, ଜାମୁଝାଡ଼ି ଆଦି ଜାଗା ମାନଙ୍କରେ ଲାଇଟ୍ ଜଳୁଥିବା ବେଳେ ସୋର ଭଳି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଜନଗହଳି ସ୍ଥାନରେ ଲାଇଟ୍ ନଜଳିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ପଡ଼ୁଥିବା ଦେଖାଯାଇଛି। ତୁରନ୍ତ କମ୍ପାନୀ ତରଫରୁ ବିଦ୍ୟୁୁତ୍ ସଂଯୋଗ ପାଇଁ ସାଧାରଣରେ ଦାବି ହୋଇଛି।
