ବାର ବୁଲାଙ୍କ ଅସ୍ଥାୟୀ ଘର ସୋର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)- ଗତ କିଛିଦିନ ହେବ ସୋର ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ କେତେକ ବାରବୁଲା ମାନେ ଦୀର୍ଘ ଦିନ ଧରି ଏକ ନମ୍ବର ପ୍ଲାଟଫର୍ମକୁ ନିଜ ଅସ୍ଥାୟୀ ଘର ଭାବେ ମନେ କରି ରଖିଛନ୍ତି। ଯାହା ଫଳରେ ଯାତ୍ରୀମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ ଯାତ୍ରୀମାନେ ଷ୍ଟେସନ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ପଦକ୍ଷେପ ନେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତ୍ୟେକ ଦିନ ବିଭିନ୍ନ ଆଡ଼ୁ ବାରବୁଲା, ଯାଯାବରମାନେ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ଠୁଳ ହୋଇ ଷ୍ଟେସନ ଶୌଚାଳୟରେ ଗାଧୁଆପାଧୁଆ କରିବା ସହିତ ମଦ ମାଂସ ଖାଇ ଅପରିସ୍କାର କରୁଥିବା ଦେଖିବାକୁ ମିଳିଛି। ଷ୍ଟେସନରେ ଲାଗିଥିବା ପାଣି ଟେପରେ ଲୁଗାକାଚିବା ସହିତ ନିଜ ଘର ଭଳି ଲୁଗା ଶୁଖାଇ ରାତ୍ରୀଯାପନ କରୁଛନ୍ତି। ପ୍ଲାଟଫର୍ମରେ ଝାଡ଼ା ପରିଶ୍ରା କରିବା ସହିତ ଅଳିଆ ଅବର୍ଜନା ଗଦା କରୁଛନ୍ତି। ଅଧିକାଂଶ ସମୟରେ ପାଣି ଟେପ ଗୁଡ଼ିକୁ ଖୋଲି ବିକ୍ରି କରି ଦେଉଛନ୍ତି। ଫଳରେ ଯାତ୍ରୀମାନେ ପାଣି ପାଇପାରୁ ନାହାଁନ୍ତି। ଯାହା ଦ୍ୱାରା ଷ୍ଟେସନରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏ ସଂପର୍କରେ ଷ୍ଟେସନ ମ୍ୟାନେଜର ଏବଂ ଆର୍ପିଏଫମାନେ ଏଥିପ୍ରତି ଦୃଷ୍ଟିଦେବା ପାଇଁ ଯାତ୍ରୀମାନେ ଦାବି କରିଛନ୍ତି।
