*ସରକାରଙ୍କ ଗରିବ ଓ ନିରୀହ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ଡିଣ୍ଡିମ ଏବେ ସମ୍ପୂର୍ଣ୍ଣ ପ୍ରହସନରେ ପରିଣତ ହୋଇଛି*
ନୂଆପଡା(ମିଖାଏଲ ନନ୍ଦ)
ତା-୦୪/୦୮
ନୂଆପଡ଼ା ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲରେ ଦୀର୍ଘ ୭ ମାସ ରୁ ଅଧିକ ହେବ ଏକ୍ସ-ରେ ସେବା ଅଚଳ ହୋଇ ପଡ଼ିରହିଛି।ଫଳରେ ଏହି ଅଞ୍ଚଳର ଶତାଧିକ ଗରିବ ରୋଗୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଖଡ଼ିଆଳ ସମେତ ଆଖପାଖ ବ୍ଲକର ହଜାର ହଜାର ଜନସାଧାରଣ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନୂଆପଡା ଜିଲ୍ଲା ସମେତ ଖଡ଼ିଆଳ, ସିନାପାଲି, ବୋଡ଼େନ ତଥା ବଲାଙ୍ଗୀର ଜିଲ୍ଲାର ତିନି ବ୍ଲକ ବଙ୍ଗୋମୁଣ୍ଡା,ସିନ୍ଧେକେଲା,ତୁରକେଲା ବ୍ଲକର ଶତାଧିକ ଲୋକେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ହେଲେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ନ ଥିବାର ଅସୁବିଧା ଦେଖା ଦେଇଛି। ସରକାର ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଖଡ଼ିଆଳ ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ମାଗଣା ଏକ୍ସ-ରେ ସେବା ଚାର୍ଟ ଏକ ବର୍ଷରୁ ଅଧିକ ହେବ ନ ମିଳୁ ଥିବାରୁ ଗରିବ ଓ ଆଦିବାସୀ ଶ୍ରେଣୀର ରୋଗୀମାନେ ବାଧ୍ୟ ହୋଇ ବାହାରେ ଚଢ଼ା ଦରରେ ଡିଜିଟାଲ ଏକ୍ସ-ରେ କରିବାକୁ ବାଧ୍ୟ ହେଉଛନ୍ତି। ଯାହା ଫଳରେ ତାଙ୍କୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡୁଛି।ରୋଗୀମାନଙ୍କୁ ସାମାନ୍ୟ ଏକ୍ସ-ରେ ଟିଏ କରିବା ପାଇଁ ବାହାର ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲ ପକ୍ଷରୁ ବାରମ୍ବାର ଚିକିତ୍ସାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଏହି ସମସ୍ୟା ବିଷୟରେ ଅବଗତ କରାଯାଇଛି। ମାତ୍ର ବର୍ଷେ ବିତିଯାଇଥିଲେ ମଧ୍ୟ ମେସିନର ମରାମତି କିମ୍ବା ନୂତନ ମେସିନ ସ୍ଥାପନ ଦିଗରେ କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ।ପ୍ରଶାସନର ଏଭଳି ଉଦାସୀନ ମନୋଭାବ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ, ବୈଷୟିକ ତ୍ରୁଟି ଯୋଗୁଁ ମେସିନଟି ବନ୍ଦ ରହିଛି ଏବଂ ଏହାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି। ଗରିବ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଖଡ଼ିଆଳ ହସ୍ପିଟାଲରେ ଏକ୍ସ-ରେ ସେବା ସ୍ଵାଭାବିକ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
