*ନୂଆପଡ଼ାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୪/୦୮:
ନୂଆପଡ଼ା ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଅଧ୍ୟକ୍ଷ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ ଉପସ୍ଥିତ ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଶିକ୍ଷା ସମ୍ବନ୍ଧୀୟ ପ୍ରଗତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।
ଜିଲ୍ଲାପାଳ ବିଦ୍ୟାଳୟଗୁଡ଼ିକରେ ସାପ୍ତାହିକ ପରୀକ୍ଷା ଓ ସ୍ୱତନ୍ତ୍ର ସନ୍ଦେହ ନିରାକରଣ କ୍ଲାସ୍ (ଡାଉଟ୍ କ୍ଲିୟରିଂ କ୍ଲାସ୍) ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), ଜବାହର ନବୋଦୟ ବିଦ୍ୟାଳୟ (JNV) ଏବଂ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS)ର ଅଭିଜ୍ଞ ଶିକ୍ଷକମାନଙ୍କୁ ନେଇ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ (Teacher Exchange Programme) କରାଯିବାକୁ ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ।ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକ ମୁକ୍ତ ରଖିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇ ପ୍ରତ୍ୟେକ ବିଦ୍ୟାଳୟର ଓଭରହେଡ୍ ପାଣି ଟାଙ୍କିର ନିୟମିତ ସଫେଇ ସୁନିଶ୍ଚିତ କରିବା ସହ ସମସ୍ତ ବିଦ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ ଭାବେ ଗଢ଼ି ତୋଳିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ‘ସମ୍ଭାବନା-୨୦୨୭’ କାର୍ଯ୍ୟକ୍ରମ, ପ୍ରଶସ୍ତ-୨.୦ ଆପ୍ ମାଧ୍ୟମରେ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ, ଉଲ୍ଲାସ କାର୍ଯ୍ୟକ୍ରମ, ବିଦ୍ୟାଳୟ ମନିଟରିଂ, ଅପାର ଆଇଡି ସୃଷ୍ଟି, ବିଦ୍ୟାଳୟ ସୁରକ୍ଷା ସପ୍ତାହ, ବୃତ୍ତି, ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ରେଟିଂ, ଭିତ୍ତିଭୂମି ବିକାଶ ଏବଂ ବିଦ୍ୟାଳୟ ଉନ୍ନତୀକରଣ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଅବଶିଷ୍ଟ ଅଞ୍ଚଳଗୁଡ଼ିକରେ ଜମି ଚିହ୍ନଟ କାର୍ଯ୍ୟ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଚାଲିଥିବା ବେଳେ ଏହି ପ୍ରକ୍ରିୟାକୁ ଶୀଘ୍ର ସମ୍ପନ୍ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ସମ୍ପ୍ରତି ଆମସେନାରେ ଅନୁଷ୍ଠିତ ପରିବର୍ଦ୍ଧିତ ଜନଶୁଣାଣି ଅବସରରେ କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀ ସାହୁଙ୍କ ଘରକୁ ଯାଇ ତାଙ୍କ ସହ ଓ ତାଙ୍କ ପରିବାର ସହ ଆଲୋଚନା କରି ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ପାଇଁ ପ୍ରେରଣା ଦେଇଥିବା କଥା ଉଲ୍ଲେଖ କରିଥିଲେ। ସେହିଭଳି ଜିଲ୍ଲାର ସମସ୍ତ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ମେଧାବୀ ଏବଂ ସମ୍ଭାବନାମୟ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କୁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଡିଏସଏସ ଗିରିଧାରୀ ସା, ଡିଆଇଇଟି ପ୍ରିନସିପାଲ ନରୋତ୍ତମ ଭୋଇ, ଜିଲ୍ଲାର ବିଭିନ୍ନ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
