
ବିଞ୍ଝାରପୁର ର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷ ଯାତ୍ରା ଅନୁଷ୍ଠିତ
ବିଞ୍ଝାରପୁର, ଭଞ୍ଜଦୂତ (ସ୍ମୃତିରେଖା ମଲ୍ଲିକ) : ଶୁକ୍ରବାର ଥିଲା ପବିତ୍ର ଘୋଷଯାତ୍ରା । ଏହି ଅବସରରେ ବିଞ୍ଝାରପୁର ବ୍ଳକର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କର ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।ରଥରେ ମହାପ୍ରଭୁଙ୍କ ଦର୍ଶନ ସହ ରଥ ଟାଣିବାକୁ ଆଖପାଖ ଅଞ୍ଚଳ ତଥା ପଡୋଶୀ ବ୍ଲକରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା | ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ଗ୍ରାମରେ ଶ୍ରଦ୍ଧା ଓ ଭକ୍ତି ପୂର୍ଵକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସକାଳେ ଶ୍ରୀବିଗ୍ରହମାନଙ୍କର ନିତୀ କାନ୍ତି ପରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା ଏବଂ ଅପରାହ୍ନରେ ଶ୍ରୀବିଗ୍ରହ ମାନଙ୍କର ଘୋଷଯାତ୍ରା ପାଇଁ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀବିଗ୍ରହ ମାନଙ୍କର ପହଣ୍ଡି ପରେ କୁନି ରାଜା ବେଶରେ ଦେଖିବାକୁ ମିଳିଥିବା ପ୍ରଭାତ ମଲ୍ଲିକ ରଥରେ ଛେରାପହଁରା କରିଥିଲେ। ସଂକିର୍ତ୍ତନ, ଶଙ୍ଖ, ହୁଳହୁଳି ପରିବେଶରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିପରି ବିଞ୍ଝାରପୁର ବ୍ଲକର ଫତେପୁର, ,କଲ୍ୟାଣପୁର, ମାଁସଡା, ଅଳକୁଣ୍ଡ ,ବରିକୂଳ, କଣ୍ଟିପୁର ଆଦି ସ୍ଥାନ ମାନଙ୍କରେ ଥିବା ଜଗନ୍ନାଥ ମନ୍ଦିରରେ ଅପରାହ୍ନରେ ମହା ସମାରୋହରେ ଘୋଷଯାତ୍ରା ଶୃଙ୍ଖଳାର ସହ ପାଳିତ ହୋଇଯାଇଛି ।