
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ବାଲେଶ୍ୱର ଜିଲ୍ଲା ସୋର ବାଗୁଡ଼ି ସ୍ଥିତ ଖଞ୍ଜାମାହାଲ ପଥର ଖାଦାନରେ ବେଆଇନ ପଥର ବିସ୍ଫୋରଣ, ଚାଲାଣ ବନ୍ଦ ହେବାର ନା ଧରୁନାହିଁ। ପୋଲିସ ଚେକ ପୋଷ୍ଟ ଥିଲେ ବି ପଥର ମାଫିଆଙ୍କ ନାଲି ଆଖି ଆଗରେ ଶ୍ରୀହୀନ ହୋଇ ପଡିଛି ପୋଲିସ ପ୍ରଶାସନ ତଥା ଖଣି ବିଭାଗ। କିଛି ଅସାଧୁ ପୋଲିସ କର୍ମଚାରୀ, ପ୍ରଶାସନିକ ଅଧିକାରୀଙ୍କ ପକେଟ ଗରମ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।ବେଆଇନ ପଥର ଚାଲାଣକୁ ସବୁ ଦିନ ପାଇଁ ବନ୍ଦ କରିବାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ରୂପେ ସ୍ଥାଣୁ ପାଲଟି ଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ଦ ପଡ଼ିଥିବା ପଥର ଖାଦାନ ଗୁଡ଼ିକରେ ବିସ୍ଫୋରଣ ହେଉଥିବା ଖବର ପାଇ ଜିଲ୍ଲା ଖଣି ବିଭାଗର କନିଷ୍ଠ ଅଧିକାରୀ,ସୋର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ପୋଲିସ ଫୋର୍ସ ସହାୟତାରେ ଚଢାଉ କରିଥିଲେ। ଖାଦାନ ଭିତରକୁ ଯିବା ବେଳକୁ ପଥର ମାଫିଆମାନେ ରାସ୍ତାରେ ବଡ଼ ବଡ଼ ପଥର ପକାଇ ଅବରୋଧ କରି ୫ ପ୍ରକୋଲିନ ମେସିନକୁ ବ୍ୟକ୍ତିଗତ ଜାଗାରେ ଲୁଚାଇ ରଖିଥିଲେ l ଖଣି ଅଧିକାରୀ, ତହସିଲଦାର ଉକ୍ତ ୫ଟି ପ୍ରକୋଲିନ ମେସିନ ଜବତ କରିଥିଲେ l