ବେଲଗୁଣ୍ଠାରେ ଅମାନବିକତାର ଚିତ୍ର: ରୁଗ୍ଣ ଗାଈକୁ ରାସ୍ତାରେ ଛାଡିଦେଲେ ମାଲିକ, ବଜରଙ୍ଗ ଦଳ ଓ କାଉନସିଲ୍ରଙ୍କ ସହାୟତାରେ ହେଲା ମୃତ ଗୋମାତାଙ୍କ ସତ୍କାର
ବେଲଗୁଣ୍ଠା:୩/୮-(ଶିବରାମ ଚୌଧୁରୀ )-ହିନ୍ଦୁ ଧର୍ମରେ ଗାଈକୁ ‘ଗୋମାତା’ ଭାବେ ପୂଜା କରାଯାଏ ଏବଂ ଏହାଙ୍କୁ ପବିତ୍ର ଜ୍ଞାନ କରାଯାଏ। ମାତ୍ର କିଛି ଅସଚେତନ ମାଲିକଙ୍କ ଏପରି କିଛି ଅମାନବିକ ଚିତ୍ର ସାମ୍ନାକୁ ଆସିଛି, ଯାହା ସାଧାରଣରେ ଗଭୀର ବ୍ୟଥା ସୃଷ୍ଟି କରିଛି। ସାରା ଜୀବନ ମାଲିକକୁ ସେବା କରିବା ପରେ ଯେତେବେଳେ ଗାଈଟି ରୋଗାକ୍ରାନ୍ତ ହୋଇ ପଡ଼େ କିମ୍ବା କୌଣସି କାମରେ ଆସେ ନାହିଁ, ସେତେବେଳେ ନିର୍ଦ୍ଦୟ ମାଲିକମାନେ ତାକୁ ରାସ୍ତାରେ ଛାଡ଼ିଦେଇ ନିଶ୍ଚିନ୍ତରେ ରହୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଅମାନବିକ ଓ ହୃଦୟବିଦାରକ ଘଟଣା ବେଲଗୁଣ୍ଠା ଅଞ୍ଚଳରେ ଦେଖିବାକୁ ମିଳିଛି।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବେଲଗୁଣ୍ଠା ସହର ମଧ୍ୟରେ ଥିବା ବଡ଼ଦାଣ୍ଡ ସାହିର ଏକ ଗାଈ ଅତ୍ୟନ୍ତ ରୁଗ୍ଣ ଅବସ୍ଥାରେ ଆସି ପେଣ୍ଠସାହି ଆଡ଼ପମଣ୍ଡପ ନିକଟରେ ପଡ଼ିରହିଥିଲା। ତେବେ ଏହି ଗାଈର ପ୍ରକୃତ ମାଲିକ କିଏ, ତାହା ଜଣାପଡ଼ି ନଥିଲା। ଗାଈଟିର ସେହି ଦୟନୀୟ ଅବସ୍ଥା ଦେଖି ବଜରଙ୍ଗ ଦଳର ଯୁବଗୋଷ୍ଠୀ ଆଗେଇ ଆସିଥିଲେ ଏବଂ ତୁରନ୍ତ ପଶୁ ଡାକ୍ତର ଶଙ୍କର ସନା ପାଣିଗ୍ରାହୀଙ୍କ ସହିତ ପରାମର୍ଶ କରି ଚିକିତ୍ସାର ବ୍ୟବସ୍ଥା କରିଥିଲେ। ମାତ୍ର ଗାଈଟି ଅତ୍ୟନ୍ତ ଅସୁସ୍ଥ ଓ ରୁଗ୍ଣ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ସତ୍ତ୍ୱେ ଶେଷରେ ତାର ମୃତ୍ୟୁ ଘଟିଥିଲା।
ଗାଈର ମୃତ୍ୟୁ ପରେ ବଜରଙ୍ଗ ଦଳର ଯୁବକମାନେ ଏହାର ମାଲିକଙ୍କୁ ଖୋଜିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା। ଏପରି ସଙ୍କଟଜନକ ପରିସ୍ଥିତିରେ ସ୍ଥାନୀୟ ଯୁବକମାନେ ୨ ନମ୍ବର ୱାର୍ଡ କାଉନସିଲର୍ ଦିବ୍ୟରଞ୍ଜନ ଦାଶଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ। ଖବର ପାଇବାକ୍ଷଣି କାଉନସିଲର୍ ଶ୍ରୀ ଦାଶ ତତ୍ପରତା ପ୍ରକାଶ କରିଥିଲେ ଏବଂ ନିଜେ ଆଗେଇଆସି ଗାଈର ଶେଷକୃତ୍ୟ ଓ ସତ୍କାର ପାଇଁ ସମସ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏନ୍ଏସି କର୍ମଚାରୀ ଙ୍କୁ ସାଙ୍ଗରେ ନେଇ ମୃତ ଗୋମାତାଙ୍କର ସମ୍ମାନଜନକ ଶେଷ ସତ୍କାର ପୁର୍ବକ ପୋତା ଯାଇଥିଲା ।ଅସହାୟ ଅବସ୍ଥାରେ ପ୍ରାଣ ହରାଇଥିବା ଗୋମାତାଙ୍କ ପାଇଁ କାଉନସିଲର୍ ଦିବ୍ୟରଞ୍ଜନ ଦାଶ, ବଜରଙ୍ଗ ଦଳ ଏବଂ ସହଯୋଗୀ ଯୁବକମାନେ ଯେପରି ମାନବିକତା ପ୍ରଦର୍ଶନ କଲେ, ସ୍ଥାନୀୟ ଅଞ୍ଚଳରେ ତାହାର ବେଶ୍ ପ୍ରଶଂସା କରାଯାଇଛି।
