ବେତନଟୀରେ ଲଗାଣ ବର୍ଷା, ବନ୍ୟା ଆଶଙ୍କା ଭିତରେ ନାଖରା ପୋଲ୍ ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ
ବେତନଟୀ, (ନି ପ୍ର)୨୮/୭: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଓ ଏହାର ଆଖପାଖ ଅଞ୍ଚଳରେ ବିଗତ କିଛି ଦିନ ହେବ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ମୟୂରଭଞ୍ଜ ଜିଲ୍ଲାପାଳ, ମୟୂରଭଞ୍ଜ ଏସପି, ବେତନଟୀ ବିଡ଼ିଓ, ବେତନଟୀ ତହସିଲଦାର ଏବଂ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି)ର ସମସ୍ତ ବରିଷ୍ଠ ଅଧିକାରୀ ମିଳିତ ଭାବେ ସମ୍ବେଦନଶୀଳ ନାଖରା ପୋଲ ଅଞ୍ଚଳ ଗସ୍ତ କରି ଜଳସ୍ତର ଓ ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ଷା ଜଳ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ଯାତାୟାତ ଏବଂ ଧନଜୀବନର ଯେପରି କୌଣସି କ୍ଷତି ନହୁଏ, ସେଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରି ଆକଳନ ଅନୁଯାୟୀ ରାତି ୯ ଟା ସୁଦ୍ଧା ନାଖରାପୋଲ ଉପର ଦେଇ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ତେଣୁ ଶାନ୍ତିଶୃଙ୍ଖଳା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବୈସିଙ୍ଗା ପୋଲିସକୁ ସମ୍ପୂର୍ଣ୍ଣ ସ୍ଥିତି ବାବଦରେ ଅବଗତ କରାଯାଇ ସତର୍କ ରହିବାକୁ କୁହାଯାଇଛି। ପ୍ରଶାସନର ଏହି ତୁରନ୍ତ ପଦକ୍ଷେପ ଏବଂ କ୍ଷେତ୍ରୀୟ ପରିଦର୍ଶନ ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷା ଭାବନା ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ଯେକୌଣସି ଜରୁରୀକାଳୀନ ସହାୟତା ପାଇଁ ପ୍ରସ୍ତୁତ ରହିବାକୁ ସାଧାରଣରେ ନିବେଦନ କରାଯାଇଛି।
