ରାଉରକେଲାରେ ‘ବ୍ୟାକ୍ ଟୁ ସ୍କୁଲ’ କାର୍ଯ୍ୟକ୍ରମ, ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ
(ରମେଶ ଅଗ୍ରୱାଲ.:ନିପ୍ର)
ରାଉରକେଲା, ୨୫ ଜୁଲାଇ: ଲାୟନ୍ସ କ୍ଲବ୍ ଅଫ୍ ରାଉରକେଲା ବେଦବ୍ୟାସ ତ୍ରିବେଣୀ ଓ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରୟାସ’ର ମିଳିତ ଆନୁକୂଳ୍ୟରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଏନ୍ଆଇଟି, ରାଉରକେଲାରେ ‘ବ୍ୟାକ୍ ଟୁ ସ୍କୁଲ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିୟମିତ ବିଦ୍ୟାଳୟ ଉପସ୍ଥିତି, ଶୃଙ୍ଖଳା, ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ନୈତିକ ମୂଲ୍ୟବୋଧ ପ୍ରତି ସଚେତନତା ସୃଷ୍ଟି କରିବା।
କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ୍ ସଭାପତି ଶ୍ରୀ ଶ୍ରୀଧର ମଲ୍ଲିକ, ସମ୍ପାଦିକା ସୁଶ୍ରୀ ସୋମା ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ମନୋଜ କୁମାର ସାବତ, ‘ପ୍ରୟାସ’ର ସଭାପତି ଶ୍ରୀମତୀ ଲତିକା ପଟ୍ଟନାୟକ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ପତି, ଶ୍ରୀମତୀ ଗୀତା ମହାନ୍ତି, ଶିକ୍ଷକ-ଶିକ୍ଷୟିତ୍ରୀ, ଲାୟନ୍ସ ସଦସ୍ୟ ଏବଂ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ ୪୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ପ୍ରେରଣାଦାୟକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଶ୍ରୀ ଶ୍ରୀଧର ମଲ୍ଲିକ ଶିକ୍ଷା, ଶୃଙ୍ଖଳା ଓ ବର୍ଷା ଋତୁରେ ସ୍ୱାସ୍ଥ୍ୟ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶ୍ରୀମତୀ ଲତିକା ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଆତ୍ମବିଶ୍ୱାସର ସହ ଶିକ୍ଷା ଗ୍ରହଣ କରିବାକୁ ପ୍ରେରିତ କରିଥିଲେ। ଶ୍ରୀମତୀ ନିରୁପମା ପତି ଜଣେ ଆଦର୍ଶ ଛାତ୍ରର ଗୁଣାବଳୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଷଷ୍ଠରୁ ଦଶମ ଶ୍ରେଣୀର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍, ପାଣି ବୋତଲ, ପେନ୍ସିଲ ବକ୍ସ ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀଙ୍କୁ ଜଳଖିଆ ବଣ୍ଟନ କରାଯାଇଥିଲା।
ଶେଷରେ ଶ୍ରୀ ଶ୍ରୀଧର ମଲ୍ଲିକ ଧନ୍ୟବାଦ ଜ୍ଞାପନ କରି ବିଦ୍ୟାଳୟ କର୍ତ୍ତୃପକ୍ଷ, ‘ପ୍ରୟାସ’, ଲାୟନ୍ସ ସଦସ୍ୟ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍ୱେଚ୍ଛାସେବକମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ସେ ଲାୟନ୍ସ କ୍ଲବର ମୂଳମନ୍ତ୍ର “We Serve” ଅନୁଯାୟୀ ସମାଜସେବା ପ୍ରତି କ୍ଲବର ଅଙ୍ଗୀକାରକୁ ଦୋହରାଇଥିଲେ।
