ପୁରୀ – ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇ ଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁ ଆସିଥାଏ।
କୁହାଯାଏ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ ବୋଲି । ରଥ ପରେ ଅନୁଷ୍ଠିତ ହେଉଥିବା ସୁନା ବେଶ ( ରାଜାଧିରାଜ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀ ଜଗନ୍ନାଥଙ୍କର ଏକ ସବୁଠାରୁ ସୁନ୍ଦର ଓ ଦୁର୍ଲ୍ଲଭ ନୀତି ଯେଉଁଥିରେ ସେ ମହଣ ମହଣ ସୁନା ଅଳଙ୍କାର ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ପ୍ରତି ବର୍ଷ ସୁନାବେଶ ପାଞ୍ଚ ଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।
ତେବେ ମନ୍ଦିର ଭିତରେ ୪ ଥର ଓ ମନ୍ଦିର ବାହାରେ ଥରୁଟିଏ ସୁନାବେଶ ଅନୁଷ୍ଠିତ ହୋଇ ଥାଏ । ବାହୁଡା ଯାତ୍ରାରେ ହେଉଥିବା ସୁନା ବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ଅଛି । ସେଇଥି ପାଇଁ ଦର୍ଶନ କରିବାକୁ ବଡଦାଣ୍ଡରେ କୋଟି କୋଟି ଭକ୍ତଙ୍କ ସମାଗମ । ଏହି ଦିନ ଶ୍ରୀଜଗନ୍ନାଥ କଣ ଅଳଙ୍କାର ପିନ୍ଧନ୍ତି ଜାଣନ୍ତୁ….ଶ୍ରୀପୟର, କୀରଟ, ଶ୍ରୀଭୁଜ(ହାତ), ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢ଼ିଆଣୀ(କାନ ଫୁଲ), କମରପଟି, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତ୍ରିଖଣ୍ଡିକା, ଝୋବାକଣ୍ଠି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକାରେ ସଜେଇ ହୁଅନ୍ତି ।
ସୁନା ବେଶ ସମୟରେ ଶ୍ରୀବଳଭଦ୍ର ପିନ୍ଧୁ ଥିବା ଅଳଙ୍କାରମାନ ହେଉଛି-ଶ୍ରୀପୟର, କିରିଟ, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ତ୍ରିଖଣ୍ଡିକା, କମରପଟି, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି
ଦେବୀ ସୁଭଦ୍ରାଙ୍କ ଅଳଙ୍କାର ହେଉଛି- କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ତଗଡ଼ି-୨ଟି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି.. ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନା ବେଶରେ ପ୍ରାୟ ୨୦୮ କେଜି (କିଲୋଗ୍ରାମ) ଓଜନର ସୁବର୍ଣ୍ଣ ଅଳଙ୍କାର ବ୍ୟବହାର କରାଯାଇଥାଏ। ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସ ମୁତାବକ, ଏହି ବେଶ ପାଇଁ ଭଣ୍ଡାର ଘରୁ ପ୍ରାୟ ୧୫୦ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ବାହାର କରାଯାଏ।
