*ନୂଆପଡ଼ାରେ ଅବକାରୀ ବିଭାଗର ଆକ୍ସନ: ୧୬ କିଲୋ ଗଞ୍ଜେଇ ସହ କନ୍ଧମାଳର ୨ ଗିରଫ*
ନୂଆପଡ଼ା( ମିଖାଏଲ ନନ୍ଦ),
ତା-୨୦/୦୭:
ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଦୁଇଜଣ ବେଆଇନ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି. ଅବକାରୀ ବିଭାଗ ଏନ୍ଡିପିଏସ୍ (NDPS) ଆଇନ ଅନ୍ତର୍ଗତ ଦୁଇଟି ପୃଥକ ମାମଲା ରୁଜୁ କରି ମୋଟ ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି.ପ୍ରଥମ ଚଢ଼ାଉ: ଖଡ଼ିଆର ରୋଡ଼ ସ୍ୱସ୍ତିକ ଲଜ୍ ସମ୍ମୁଖମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଘଟଣାରେ ଖଡ଼ିଆର ରୋଡ଼ ସ୍ଥିତ ସ୍ୱସ୍ତିକ ଲଜ୍ ସମ୍ମୁଖରେ ଅବକାରୀ ଦଳ ଚଢ଼ାଉ କରିଥିଲେ. ସେଠାରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା. ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର କଁହର (୨) ବୋଲି ଜଣାପଡ଼ିଛି. ନୂଆପଡ଼ା ଅବକାରୀ ରେଞ୍ଜର ଇନ୍ସପେକ୍ଟର ହୀରାବତୀ ଠାଟି ପି.ଆର୍. ନଂ–୯୨/୨୬-୨୭ ଏବଂ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(ବି) ଅନୁସାରେ ଏହି ମାମଲା ରୁଜୁ କରିଛନ୍ତି.ଦ୍ୱିତୀୟ ଚଢ଼ାଉ: ଖଡ଼ିଆର ରୋଡ଼ ରେଳ ଷ୍ଟେସନ ରାସ୍ତାଅନୁରୂପ ଭାବେ ଦ୍ୱିତୀୟ ଚଢ଼ାଉଟି ଖଡ଼ିଆର ରୋଡ଼ ରେଳ ଷ୍ଟେସନ ରାସ୍ତା ନିକଟରେ କରାଯାଇଥିଲା. ସେଠାରେ ସନ୍ଦେହଜନକ ଭାବେ ବୁଲୁଥିବା ଜଣେ ବ୍ୟକ୍ତିଙ୍କଠାରୁ ୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା. ଏହି ଘଟଣାରେ ମଧ୍ୟ କନ୍ଧମାଳ ଜିଲ୍ଲାର ସୁଫଳ କଁହର (୨୬) ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି. ନୂଆପଡ଼ା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସିଦ୍ଧାନ୍ତ ପାତ୍ର ପି.ଆର୍. ନଂ–୧୧୩/୨୬-୨୭ ଓ ଏନ୍ଡିପିଏସ୍ ଆଇନର ସମାନ ଧାରାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି.ଅବକାରୀ ବିଭାଗ ପକ୍ଷରୁ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି. ଜିଲ୍ଲାରେ ବେଆଇନ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଏହିଭଳି ଜୋରଦାର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି.
