ପଦ୍ମନାଭପୁର ଟୋଲ ପ୍ଲାଜା ରେ ଟ୍ରକ ଡ୍ରାଇଭରଙ୍କ ଉନ୍ମତ କାଣ୍ଡ
========================================
ବୈଶିଙ୍ଗା …ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ ଗେଟ୍ ରେ ଶୁକ୍ରବାର ରାତି ୧୧.୩୦ ସମୟରେ ଉତ୍ତ୍ୟକ୍ତ ଡ୍ରାଇଭର ବାପ ପୁଅଙ୍କ ଖଣ୍ଡା ଚୋଟରେ ଜଣେ ଟୋଲ ଗେଟ୍ କର୍ମଚାରୀ ଗୁରୁତର ଆହତ ହୋଇ ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ମୁତାବକ ଆନ୍ଧ୍ର ପ୍ରଦେଶରୁ ମାଛ ନେଇ ରାଞ୍ଚି ଯାଉଥିବା ଏକ ଟ୍ରେଲର ନଂ UK 06 CA 5176 ଗେଟ୍ ରେ ଅଟକି ଥିବା ବେଳେ ଗାଡ଼ି ପାସ୍ କରିବାକୁ ବିଳମ୍ବ ଯୋଗୁଁ ଟୋଲ ଗେଟ୍ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ, ପାଟିତୁଣ୍ଡ ହୋଇଥିଲା । ଟ୍ରେଲର ଚାଳକ ବାପା ୬୦ ବର୍ଷିୟ ଦୀଲବାଗ୍ ସିଂ ଓ ପୁଅ ୨୬ ବର୍ଷିୟ ମନଜୀତ୍ ସିଂ ଲୁହା ରଡ୍ ଓ ଖଣ୍ଡା ବାହାର କରି ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ବିବେକ ତିୱାରୀ ନାମକ କର୍ମଚାରୀଙ୍କ ପେଟରେ ଖଣ୍ଡା ବାଜି ପେଟ ଭିତରୁ ଅନ୍ତବୁଜୁଳୀ ବାହାରି ପଡ଼ିଥିଲା ।
ଘଟଣା ସମ୍ପର୍କରେ ଖବରପାଇ ତୁରନ୍ତ ପୋଲିସ ଏସ ଆଇ ଅଶୋକ କୁମାର ପାତ୍ର ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ଗାଡ଼ି ନେଇ ପଳାଇଯାଇଥିଲେ ବାପ ପୁଅ। ସେମାନଙ୍କ ଗାଡ଼ିକୁ ଗୋଡ଼ାଇ ବେତନଟୀ ଠାରେ ଅଟକ ରଖି ଦୁଇଜଣଙ୍କୁ ଗିରଫ କରି ଥାନାକୁ ନେଇ ଆସିଥିଲେ। ଏହାକୁ ନେଇ ପୋଲିସ ପକ୍ଷରୁ ୩୬୪ ନଂ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ସନ୍ଧ୍ୟାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଥାଉକି ଟୋଲ ଗେଟ୍ ରେ ବଡ ବଡ ଗାଡି ଗୁଡ଼ିକୁ ଅଧିକ ଟଙ୍କା ଦାବି କରୁଥିବା ଘଟଣା ପୂର୍ବରୁ ବାରମ୍ବାର ଘଟଣା ଘଟିଥିବାର ନଜିର ରହିଛି । ହୁଏତ ଏହିଭଳି ଘଟଣାକୁ ନେଇ ବଚସା ଏବଂ ପରେ ଆକ୍ରମଣ ହୋଇଥାଇ ପାରେ, ପ୍ରକୃତ ତଦନ୍ତ ପରେ ଅସଲ ଘଟଣା ଜଣାପଡିବ ବୋଲି ଆଶା କରାଯାଏ ।
