ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ସମୀକ୍ଷା ବୈଠକ
ବାରିପଦା, ୦୪/୧୦/୨୦୨୬: ବାରିପଦାସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭବନରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ସମୀକ୍ଷା ତଥା ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର କେନ୍ଦ୍ରୀୟ ଆବାହକ ଶ୍ରୀ ବୀରବଲ ସିଂ ସଭାପତିତ୍ୱ କରିଥିଲେ।
ବୈଠକରେ ସଂଗଠନ ଦ୍ୱାରା ପରିଚାଳିତ ସମସ୍ତ ମୁଣ୍ଡାରୀ ବାଣୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ସହଯୋଗୀ ସଂସ୍ଥା ‘ପ୍ରେମ୍’ର ପ୍ରତିନିଧି ଶ୍ରୀ ନରେନ୍ଦ୍ର ପଟ୍ଟନାୟକ, ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ ଏବଂ ଶ୍ରୀ ଡି. ଲିମା ଭାଲେରିଆନ୍ ଅତିଥି ଭାବେ ଯୋଗଦେଇ ମୁଣ୍ଡାରୀ ବିଦ୍ୟାଳୟ ଓ ସଂଗଠନର ସୁଦୃଢ଼ୀକରଣ ନିମନ୍ତେ ବିଭିନ୍ନ ଦିଗଦର୍ଶନ ପ୍ରଦାନ କରିଥିଲେ।
ମୁଣ୍ଡାରୀ ଭାଷା ଓ ସଂସ୍କୃତିର ସଂରକ୍ଷଣ ତଥା ପରବର୍ତ୍ତୀ ପିଢ଼ିର ପିଲାମାନଙ୍କ ମଧ୍ୟରେ ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ଭାଷା ଶିକ୍ଷାକୁ ଅଧିକ ବ୍ୟାପକ କରିବା ଉପରେ ଆଲୋଚନା ହୋଇଥିଲା।
ଏଥିସହିତ ମୁଣ୍ଡା ସମାଜରୁ ବାଲ୍ୟବିବାହ, ଅବାଞ୍ଛିତ ଗର୍ଭଧାରଣ, ପ୍ରସବକାଳୀନ ମାତୃମୃତ୍ୟୁ ଓ ଲିଙ୍ଗଭିତ୍ତିକ ହିଂସା ଭଳି ସାମାଜିକ ସମସ୍ୟାଗୁଡ଼ିକୁ ଦୂର କରିବା ଉଦ୍ଦେଶ୍ୟରେ ସଚେତନତାମୂଳକ ବୈଠକ ଓ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। “ସୁସ୍ଥ ସମାଜ ପାଇଁ ସୁସ୍ଥ ଶିଶୁ” ଗଠନ ସହିତ ଆଦିବାସୀ ପାରମ୍ପରିକ ଚେରମୂଳି ଚିକିତ୍ସା ଜ୍ଞାନ ଓ ପରମ୍ପରାକୁ ସଂରକ୍ଷଣ କରି ଆଗାମୀ ପିଢ଼ିକୁ ହସ୍ତାନ୍ତର କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକ ଶେଷରେ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ସୁନାରାମ ସିଂ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
