ନରଣପୁର ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ ପଦଯାତ୍ରା ଉଦ୍ଯାପିତ
କେନ୍ଦୁଝର, ୪।୧୦ ( ନିପ୍ର ): ଆନ୍ତର୍ଜାତିକ ଅହିଂସା ଦିବସ ଅବସରରେ ନରଣପୁର ସରକାରୀ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନ୍ୟପ୍ରାଣୀ ସପ୍ତାହ ପଦଯାତ୍ରା ଉଦ୍ଯାପିତ ହୋଇଯାଇଛି। କେନ୍ଦୁଝର ବନଖଣ୍ଡ, କେନ୍ଦୁଝର ବନାଞ୍ଚଳ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଏବଂ ‘ଓସ୍କା’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ଡକ୍ଟର ଅନୁପମା ଦାସ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଏସିଏଫ୍ ଡାକ୍ତର ସୁଦୀପ୍ତ ପଣ୍ଡା ଯୋଗଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ କୁମାର ସାହୁ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ଭକ୍ତ ବତ୍ସଳ ମହାନ୍ତି ଏବଂ ଫରେଷ୍ଟର କାଳନ୍ଦୀ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ।ମୁଖ୍ୟବକ୍ତା ଡାକ୍ତର ସୁଦୀପ୍ତ ପଣ୍ଡା ହାତୀଙ୍କ ଜୈବବିବିଧତା ଭୂମିକା ଉପରେ ଆଲୋକପାତ କରି କହିଥିଲେ, “ହାତୀ ହେଉଛି ପ୍ରାଣୀ ଜଗତର ଅତ୍ୟନ୍ତ ବୁଦ୍ଧିମାନ ଜୀବ। ହାତୀ ଜଙ୍ଗଲର ସୁରକ୍ଷା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି କରେ, ରାସ୍ତା ତିଆରି କରେ ଏବଂ ହାତୀର ପାଦଚିହ୍ନରେ ଜମୁଥିବା ବର୍ଷାଜଳ ଭୂତଳ ଜଳସ୍ତର ବୃଦ୍ଧିରେ ସାହାଯ୍ୟ କରେ। ଜଙ୍ଗଲରେ ଖାଦ୍ୟର ଅଭାବ ହେତୁ ହାତୀମାନେ ଗାଁ ମୁହାଁ ହୋଇ ଧାନ, ପନିପରିବା ଓ ହାଣ୍ଡିଆ ଖାଇବା ସହ ଘରଦ୍ୱାର ଭାଙ୍ଗୁଛନ୍ତି।”ମୁଖ୍ୟ ଅତିଥି ଡକ୍ଟର ଅନୁପମା ଦାସ କହିଥିଲେ ଯେ, “ହାତୀ ଏକ ଶାନ୍ତପ୍ରିୟ ଜୀବ। ସେମାନଙ୍କୁ ଆଦୌ ବିରକ୍ତ ନ କରି କମସେ କମ୍ ୨୦୦ ମିଟର ଦୂରତାରେ ରହିବା ଉଚିତ। ହାତୀକୁ ଘେରି ନ ରଖି ତା’ର ଗତିପଥ ଛାଡ଼ିଦେବା ସହ ଗାଁରେ ହାଣ୍ଡିଆ ଓ ମହୁଲି ମଦ ନ ରନ୍ଧିବା ପାଇଁ” ସେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଫରେଷ୍ଟର କାଳନ୍ଦୀ ସାମଲ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନଙ୍କ ପାଇଁ ‘ଅନୁକମ୍ପା’ ମାଧ୍ୟମରେ ସରକାରୀ କ୍ଷତିପୂରଣ ପାଇବାର ସହଜ ପ୍ରକ୍ରିୟା ବିଷୟରେ ବୁଝାଇଥିଲେ। ସେହିପରି ଟ୍ରଷ୍ଟ ସମ୍ପାଦକ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ହାତୀଙ୍କ ଖାଦ୍ୟ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଜଙ୍ଗଲରେ ବର, ଓସ୍ଥ, ଚାର, କେନ୍ଦୁ ଓ ବାଉଁଶ ଗଛ ବହୁଳ ମାତ୍ରାରେ ଲଗାଇବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଏ. ପରିମିତା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। ବିକାଶ ଅଧିକାରୀ ଭାଗିରଥି ମହାନ୍ତି, ଭାଗିରଥି ପଣ୍ଡା, ପିତାମ୍ବର ମହାନ୍ତ, ସ୍ଥାନୀୟ ବନରକ୍ଷୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ “ମନୁଷ୍ୟ-ହାତୀ ସହାବସ୍ଥାନ ମାର୍ଗଦର୍ଶିକା” ବଣ୍ଟନ କରାଯାଇଥିଲା।
