ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ : ୭ଜଣିଆ ଟିମର ତଦନ୍ତ ଆରମ୍ଭ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଛାତ୍ର ମୃତ୍ୟୁ ପରେ ଚେତିଲା ପ୍ରଶାସନ। ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କଲେ ୭ ଜଣିଆ ଟିମ୍। ସୂଚନାଯୋଗ୍ୟ ସୋର କଲେଜ ଛକରେ ଥିବା ଏକ ଘରୋଇ ମେସରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କର ଗତ ୧୧ ତାରିଖରେ ପୋଖରୀରେ ବୁଡି ମୃତ୍ୟୁ ହୋଇଥିଲା। ଏନେଇ ଖବର ପ୍ରକାଶିତ ହେବା ପରେ ଆଜି ବିଭିନ୍ନ ବିଭାଗରୁ ୭ଜଣିଆ ଟିମ ମିଳିତ ଭାବେ ଉକ୍ତ ମେସରେ ତଦନ୍ତ କରିଛନ୍ତି। ସୋର ଥାନା କେଦାରପୁର ପଞ୍ଚାୟତ କଣ୍ଟାବାଙ୍କି ଗ୍ରାମର ଶ୍ରୀଧର ନାୟକଙ୍କ ବଡପୁଅ ସତ୍ୟବ୍ରତ ନାୟକ(୧୯)। ସତ୍ୟବ୍ରତ ସୋର କଲେଜ ଛକରେ ଥିବା ବ୍ରାଇଟ ମେସରେ ରହିବା ସହିତ ସୋର ଉପେନ୍ଦ୍ର ନାଥ କଲେଜରେ କଳା ବିଭାଗ ଯୁକ୍ତ ୩ର ଶେଷ ବର୍ଷରେ ପାଠ ପଢ଼ୁଥିଲେ। ୧୧ତାରିଖ ସକାଳେ ମେସ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ବୁଡିଯାଇଥିଲେ। ମେସ କର୍ତ୍ତୃପକ୍ଷ ଡାକ୍ତରଖାନା ନେବା ପରିବର୍ତ୍ତେ କିଛି ସମୟ ମେଶରେ ରଖି ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋର କଲେଜ ଛକରେ ଗଢି ଉଠିଥିବା ଅନେକ ଘରୋଇ ମେସର କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାକୁ ସମ୍ମୁଖୀନ ହେଉଛନ୍ତି । ଗତ କିଛିଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ ଛାତ୍ର ସେନା ପାଇଁ ତାଲିମ ନେଉଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିଲେ। ମେସ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଏନେଇ ଆଜି ମଧ୍ୟାହ୍ନରେ ସୋର ତହସିଲଦାର କୃଷ୍ଣମୋହନ ସିଂହଙ୍କ ନେତୃତ୍ୱରେ ସୋର ଅଗ୍ନିଶମ ବିଭାଗର ଅଧିକାରୀ ଜମୁନା ପ୍ରସାଦ ମହନ୍ତ, ସୋର ପୈରପାଳିକା କାର୍ଯ୍ୟ ନିର୍ବାହ ଅଧିକାରୀ ବିଶ୍ୱ ରଞ୍ଜନ ପ୍ରଧାନ, ଅତିରିକ୍ତ ତହସିଲଦାର ସଞ୍ଜିବ ପାତ୍ର,ସୋର ସିଡିପିଓ ହାରାମଣୀ ନାଏକ,ଏବିଓ ସୋମନାଥ ଦାସ, ସୋର ଡାକ୍ତରଖାନାର ଡାକ୍ତର , ସୋର ବ୍ଲକ ଡବ୍ଲୁଇଓ ଟାଟା ପାୱାରର ଅଧିକାରୀ ମିଳିତ ଭାବେ ଉକ୍ତ ମେସରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପରେ ଏହି ମେସର ନକିଟରେ ଥିବା ପିନାକିଲ ଏକାଡେମୀ ଓ ସାନଭି ଲେଡିସ ମେସରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ମେସରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଥିଲା। ଆଗାମୀ ଦିନରେ ସୋର କଲେଜ ଛକରେ ଥିବା ସମସ୍ତ ମେସ ଓ ଟ୍ୟୁଟରିଆଲ ଗୁଡିକରେ ଚଢାଉ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ତହସିଲଦାର ଶ୍ରୀ ସିଂହ କହିଛନ୍ତି।
