*ଧରମବନ୍ଧାରେ ଘରେ ପଶିଲା ବିରଳ ବଜ୍ରକାପ୍ତା, ବନ ବିଭାଗକୁ ହସ୍ତାନ୍ତର କଲେ ଲୋକେ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୧୩/୦୭
ବନ୍ୟପ୍ରାଣୀ ସୁରକ୍ଷା ଏବଂ ଲୋକଙ୍କ ସଚେତନତାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଅଞ୍ଚଳର ଟାଙ୍ଗରୀପଡ଼ା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ,ଗତ ରାତିରେ ଏକ ବିରଳ ବଜ୍ରକାପ୍ତା (Pangolin) ରାସ୍ତା ହୁଡ଼ି ଜଣେ ଗ୍ରାମବାସୀଙ୍କ ଘରେ ପଶିଯାଇଥିଲା।ତେବେ ଘର ଲୋକ ଏବଂ ଗ୍ରାମବାସୀମାନେ ଭୟଭୀତ ନହୋଇ କିମ୍ବା ନିରୀହ ଜୀବଟିର କୌଣସି କ୍ଷତି ନକରି ତାକୁ ରାତିସାରା ସୁରକ୍ଷିତ ଭାବେ ରଖିଥିଲେ। ଆଜି ସକାଳେ ଲୋକମାନେ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାଟିକୁ ନିଜ ହେପାଜତକୁ ନେଇଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଟାଙ୍ଗରୀପଡ଼ାବାସୀଙ୍କ ଏହି ସକାରାତ୍ମକ ପଦକ୍ଷେପକୁ ସବୁ ମହଲରେ ଖୁବ୍ ପ୍ରଶଂସା କରାଯାଉଛି।
