ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ–୨୦୨୬ ଉପଲକ୍ଷେ ବୌଦ୍ଧରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ l
ବୌଦ୍ଧ, ତା. ୦୩/୦୭:
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରସାର ଏବଂ ନବପିଢ଼ି ମଧ୍ୟରେ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆସନ୍ତା ଜୁଲାଇ ୨୫ ତାରିଖରେ ଭୁବନେଶ୍ୱରଠାରେ ପାଳିତ ହେବାକୁ ଥିବା ସ୍ୱନକ୍ଷତ୍ର ଦିବସ–୨୦୨୬ ଉପଲକ୍ଷେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଜିଲ୍ଲାସ୍ତରୀୟ ଓଡ଼ିଆ ରଚନା, ବତ୍କୃତା,କବିତା ଆବୃତ୍ତି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ସଂଗ୍ରହାଳୟ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁଙ୍କ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସମସ୍ତ ବିଭାଗ ପାଇଁ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ପୃଥକ ପୃଥକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ବକ୍ତୃତା ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଋଦ୍ଧି ମହାକୁଳ ଏବଂ କନିଷ୍ଠ ବର୍ଗରେ ଅରବିନ୍ଦ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ମାଣିକ ମହାକୁଳ ଓ ବରିଷ୍ଠ ବର୍ଗରେ ସିଦ୍ଧି ମହାକୁଳ ପ୍ରଥମ ସ୍ଥାନ ହାସଲ କରିଥିଲେ। କବିତା ଆବୃତ୍ତି ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଆଶ୍ରିତା ମହାକୁଡ ଏବଂ କନିଷ୍ଠ ବର୍ଗରେ ଆଲିଶା ମହାକୁଳ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସାଧାରଣ ଜ୍ଞାନ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସମର ସାମଲ ଓ ବରିଷ୍ଠ ବର୍ଗରେ ଆଦ୍ୟାଶା ସେଠୀ ପ୍ରଥମ ସ୍ଥାନ ହାସଲ କରିଥିଲେ।
ପ୍ରତିଯୋଗିତାଗୁଡ଼ିକରେ ସାହିତ୍ୟିକ ଡ. ଇଂ. ସଞ୍ଜୟ କୁମାର ପଣ୍ଡା, ରମେଶ ପ୍ରସାଦ ମେହେର, ଦୁଃଖୀଶ୍ୟାମ ବେହେରା, ନବକିଶୋର ଦୀପ, ବସନ୍ତ କୁମାର ସାହୁ, ପଦ୍ମାଳୟା ମିଶ୍ର, ମଧୁମିତା ମିଶ୍ର, ସନ୍ତୋଷ କୁମାର କର୍ଣ୍ଣ ଏବଂ ନୀଳଲୋହିତ ମହାପାତ୍ର ପ୍ରମୁଖ ବିଚାରକ ଭାବରେ ଯୋଗଦେଇ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡାଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର ପ୍ରତିଯୋଗୀମାନେ ଆସନ୍ତା ୧୨ ଜୁଲାଇ ଏବଂ ବରିଷ୍ଠ ବର୍ଗର ପ୍ରତିଯୋଗୀମାନେ ୧୯ ଜୁଲାଇ ତାରିଖରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ପ୍ରତିନିଧିତ୍ୱ କରିବେ।କାର୍ଯ୍ୟକ୍ରମ ଶେଷରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ, ଏଭଳି ପ୍ରତିଯୋଗିତା ନବପିଢ଼ି ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆତ୍ମୀୟତା, ସାହିତ୍ୟ ସାଧନା ପ୍ରତି ଆଗ୍ରହ, ସୃଜନଶୀଳ ପ୍ରତିଭାର ବିକାଶ ଏବଂ ସାଂସ୍କୃତିକ ଚେତନାର ଅଭିବୃଦ୍ଧିରେ ସହାୟକ ହେବ। ସେମାନେ ଜିଲ୍ଲାସ୍ତରରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟସ୍ତରରେ ମଧ୍ୟ ସେମାନଙ୍କ ଉଜ୍ଜ୍ୱଳ ସଫଳତା କାମନା କରିଥିଲେ।
ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ବୌଦ୍ଧ ଜିଲ୍ଲାରେ ସାହିତ୍ୟିକ ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଛି।
