ରଜ ମହୋତ୍ସବ ପାଇଁ ଆଗରପଡ଼ା ଚଳଚଞ୍ଚଳ
ଆଗରପଡ଼ା,(ନିପ୍ର)ଆଧୁନିକ ଯୁଗରେ ଲୋକେ ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ନିଜର ଓଡ଼ିଆ ସଂସ୍କୃତି, ପରମ୍ପରାକୁ ଭୂଲି ଯାଉଥିବା ବେଳେ ଆଗରପଡ଼ା ଅଞ୍ଚଳବାସୀ ଏହି ମହାନ ସଂସ୍କୃତି, ପରମ୍ପରା ଉଜ୍ଜୀବିତ କରିବା ପାଇଁ ପ୍ରତିଯୋଗୀତା ମୂଳକ ଭାବେ ପ୍ରୟାସ ଜାରୀ ରଖିଛନ୍ତି । ଯାହାକି ଏହି ରଜ ପର୍ବ ପାଳନରୁ ଜଣାପଡ଼େ । ସ୍ଥାନୀୟ ରାମଗଡ଼ପଦା ରଜ ମହୋତ୍ସବରେ ପାରମ୍ପରିକ ଦୋଳି ସହ ରଜ କ୍ୱିଇନ, ପାନଭଙ୍ଗା, ଝୋଟି ଆଦି ପ୍ରତିଯୋଗୀତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପରେଶ ନାୟକ, ପିଣ୍ଟୁ ପୃଷ୍ଟି, ପଦ୍ମନାଭ ସେଠୀ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ହେଉଥିବା ବେଳେ ଏଠାରୁ ଅନତି ଦୂରରେ ମା ଦକ୍ଷିଣ ଚଣ୍ଡି ମହୋତ୍ସବ ନିର୍ମଳ ମହାକୁଡ଼ ପ୍ରମୁଖ ପରିଚାଳନ କରୁଛନ୍ତି ।ଟିକିରା ବରଗଛ ପଡ଼ିଆରେ ମହୋତ୍ସବ ଚାଲିଛି, ଏହାକୁ ମନ୍ମଥ ଦାସ ପ୍ରମୁଖ କାର୍ଯ୍ୟ ସଂପାଦନ କରୁଛନ୍ତି । ଗାଁ ଦାଣ୍ଡରେ ବିଭିନ୍ନ ପିଠାର ମହକ, ତାସ,ଲୁଡୁ ଖେଳର ଆସର । ଏଠାରେ ବିଶେଷତ୍ଵ ରଜ ପର୍ବରେ ପୂର୍ବତନ ମୁଖ୍ୟମଂତ୍ରୀ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ ଏଠାରେ କବାଡ଼ି ଖେଳ ଆରମ୍ଭ କରି, ନିଜେ ମଧ୍ୟ ଖେଳୁଥିଲେ ଗଡ଼ସାହୀ ମନ୍ଦିର ଦାଣ୍ଡରେ । ସେହି ପରମ୍ପରା ଆଜି ବି ରହିଛି । ଏହି ପର୍ବ ପାଇଁ ଆଗରପଡ଼ା ଉତ୍ସବମୁଖର ହୋଇ ଉଠିଛି ।
