କଙ୍କିଳି ଗ୍ରାମରେ ଏକ ଅସହାୟ ପରିବାର ପାଖରେ ପହଞ୍ଚିଲେ ସାମାଜିକ କର୍ମୀ ଦୁଃଖବନ୍ଧୁ ବିଶ୍ୱାଳ।
ପରଜଙ୍ଗ : (ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଟିକିଲି ପାତ୍ରଙ୍କ ସ୍ୱାମୀ ଶ୍ରୀ ପ୍ରତାପ ପାତ୍ରଙ୍କର ପ୍ରାୟ ଚାରି ମାସ ପୂର୍ବେ ଦେହାନ୍ତ ଘଟିଥିଲା। ଏହାପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ତାଙ୍କର ଦୁଇ ବଖରା ଚାଳ ଛପର ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଫଳରେ ତିନିଜଣ ଶିଶୁଙ୍କୁ ନେଇ ପରିବାରଟି ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଛି।
ଏହି ଖବର ପାଇ ସାମାଜିକ କର୍ମୀ ଦୁଃଖବନ୍ଧୁ ବିଶ୍ୱାଳ ପରିବାର ପାଖରେ ପହଞ୍ଚି ସେମାନଙ୍କର ଭଲମନ୍ଦ ବୁଝିଥିଲେ। ପରିବାରର ସ୍ଥିତି ଅନୁଧ୍ୟାନ କରି ସେ ପ୍ରଶାସନ ଏବଂ ସରକାରଙ୍କୁ ଚିଠି ଲେଖି ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ତାଙ୍କ ଦାବି ଅନୁଯାୟୀ ପରିବାରକୁ ଅନ୍ତୋଦୟ ଗୃହ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର , ବାତ୍ସଲ୍ୟ ଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ଜାତୀୟ ପରିବାର ମଙ୍ଗଳ ଯୋଜନା, ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ, ସ୍ୱଚ୍ଛ ଭାରତ ମିଶନ ଅଧୀନରେ ପାଇଖାନା, ଆଶୀର୍ବାଦ ଯୋଜନାରେ ତିନି ଶିଶୁଙ୍କ ସହାୟତା, ଆର୍ଥିକ ଅନୁଦାନ ଓ ପିଲାମାନଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ। ଅଗ୍ନିକାଣ୍ଡ ଘଟିଥିବା ଘରଟି ପୋଡି ଯାଇଥିବା ପାଇଁ କ୍ଷତିପୂରଣ ଦିଆଯାଉ।
ଦୁଃଖବନ୍ଧୁ ବିଶ୍ୱାଳ କହିଛନ୍ତି ଯେ, ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ମିଳିଲେ ସେମାନେ ସ୍ୱାଭିମାନର ସହ ଜୀବନଯାପନ କରିପାରିବେ। ବର୍ତ୍ତମାନ ପ୍ରଶାସନ ପକ୍ଷରୁ କିପରି ପଦକ୍ଷେପ ନିଆଯାଉଛି, ସେଥିପ୍ରତି ସମସ୍ତଙ୍କ ନଜର ରହିଛି।
