*ନୂଆପଡ଼ାରେ ରବି ଧାନ କ୍ରୟ ୨.୧୨ ଲକ୍ଷ କ୍ୱିଣ୍ଟାଲ ଟପିଲା*
*ଦୁଇ ଦିନରେ ୪୦,୧୬୫ କ୍ୱିଣ୍ଟାଲ ଧାନ କ୍ରୟ; ୭୮୧ ଚାଷୀ ବିକ୍ରି କଲେ ଧାନ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା , ୧୩/୦୬:
ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ କାର୍ଯ୍ୟକ୍ରମ ଜୋରଦାର ଭାବେ ଜାରି ରହିଛି। ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଏବଂ ସମବାୟ ସଂସ୍ଥାମାନଙ୍କ ସମନ୍ୱିତ ପ୍ରୟାସ ଫଳରେ ଧାନ କ୍ରୟ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ମିଳିଛି।ଗତ ଦୁଇ ଦିନ ମଧ୍ୟରେ ଜିଲ୍ଲାର ୩୮ଟି କାର୍ଯ୍ୟରତ ପ୍ରାଥମିକ କ୍ରୟ କେନ୍ଦ୍ର (ପିପିସି) ମାଧ୍ୟମରେ ମୋଟ ୪୦,୧୬୫.୨୮ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ସେଥିମଧ୍ୟରୁ ୧୨ ଜୁନ ୨୦୨୬ ତାରିଖରେ ୪୦୧ ଜଣ ଚାଷୀଙ୍କଠାରୁ ୨୦,୧୦୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବାବେଳେ ୧୩ ଜୁନ ୨୦୨୬ ତାରିଖରେ ୩୮୦ ଜଣ ଚାଷୀଙ୍କଠାରୁ ୨୦,୦୬୦.୨୮ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ଏହି ଦୁଇ ଦିନରେ ମୋଟ ୭୮୧ ଜଣ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି।ଚଳିତ ରବି ଧାନ କ୍ରୟ ଋତୁରେ ଜିଲ୍ଲାର ମୋଟ ୫୧ଟି ପ୍ରାଥମିକ କ୍ରୟ କେନ୍ଦ୍ର ମଧ୍ୟରୁ ୩୮ଟି ପିପିସି କାର୍ଯ୍ୟରତ ରହିଥିବାବେଳେ ଏପର୍ଯ୍ୟନ୍ତ ଜିଲ୍ଲାରେ ସମୁଦାୟ ୨,୧୨,୦୬୩.୮୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ସେହିପରି ମୋଟ ୪,୧୨୧ ଜଣ ଚାଷୀ ସରକାରୀ ସହାୟକ ମୂଲ୍ୟରେ ନିଜ ଧାନ ବିକ୍ରି କରି ଉପକୃତ ହୋଇଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ, ସୁବ୍ୟବସ୍ଥିତ ଏବଂ ଚାଷୀମୁଖୀ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଚାଷୀମାନେ ଯେପରି ନିର୍ବିଘ୍ନରେ ନିଜ ଧାନ ବିକ୍ରି କରିପାରିବେ ଏବଂ ଠିକ୍ ସମୟରେ ପ୍ରାପ୍ୟ ଅର୍ଥ ପାଇପାରିବେ, ସେଥିପାଇଁ ସମସ୍ତ ସଂପୃକ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।
