ବନ୍ୟା ବିପନ୍ନଙ୍କୁ ସରକାରଙ୍କ ଉପେକ୍ଷା ଅଭିଯୋଗ, ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଚେତାବନୀ।।
ବସ୍ତା:- (ନି.ପ୍ର)ସେଖ ଆଜାରୁଦ୍ଦିନ
ବନ୍ୟା ବିପନ୍ନଙ୍କୁ ସରକାରଙ୍କ ଅସହଯୋଗ ଓ ପ୍ରଶାସନର ଉଦାସୀନତା ଅଭିଯୋଗ କରି ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଲଙ୍ଗଳେଶ୍ୱରଠାରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ଡବଲ ଇଞ୍ଜିନ ସରକାର ବିରୋଧରେ ଦଳୀୟ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କଂଗ୍ରେସ ନେତାମାନଙ୍କ ଅଭିଯୋଗ ଅନୁସାରେ, ବନ୍ୟା ବିପନ୍ନଙ୍କୁ ମୁଠାଏ ଚୁଡ଼ା ଓ ଟିକିଏ ଗୁଡ଼ ଦେଇ ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଛି। ବିପନ୍ନଙ୍କ ପାଇଁ ପର୍ଯ୍ୟାପ୍ତ ରିଲିଫ୍ ଓ ସହାୟତା ଯୋଗାଇ ଦିଆଯାଉନଥିବାରୁ ଦଳ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ସୁବର୍ଣ୍ଣରେଖା ନଦୀ ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା, ନଦୀବନ୍ଧ ସୁଦୃଢ଼ କରିବା, ବନ୍ୟା ବିପନ୍ନଙ୍କୁ ୧୫ ଦିନର ରିଲିଫ୍ ଯୋଗାଇବା ଓ କୃଷକମାନଙ୍କ ଋଣ ଛାଡ଼ କରିବା ପାଇଁ କଂଗ୍ରେସ ଦାବି କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଜଳକା ନଦୀର ବନ୍ୟାରେ ବସ୍ତା ବ୍ଲକର ୯ଟି ପଞ୍ଚାୟତ ଏବଂ ସୁବର୍ଣ୍ଣରେଖା ନଦୀର ବନ୍ୟାରେ ବାଲିଆପାଳ ବ୍ଲକର ୨୨ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି। ଏହି ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ସରକାରଙ୍କ ପକ୍ଷରୁ ଶୀଘ୍ର ବନ୍ୟା ବିପନ୍ନଙ୍କୁ ଆବଶ୍ୟକ ସହାୟତା ଓ ସହାୟତା ରାଶି ପ୍ରଦାନ ନକରାଗଲେ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବସ୍ତା ନିର୍ବାଚନ ମଣ୍ଡଳୀର ନେତା ବିଜନ ନାୟକ, ବାଲିଆପାଳ ବ୍ଲକ କଂଗ୍ରେସ ସଭାପତି ମୁରଲୀ ମୋହନ ସାହୁ, ଦେଉଳା ସରପଞ୍ଚ ସରୋଜ ପିଳା, ବଣିଆଡିହା ସରପଞ୍ଚ କାଳିଚରଣ ଜେନା, ଜଗତ ଜୀବନ ଦାସ, ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ସାମନ୍ତ, ବଣିଆଡିହା ପଞ୍ଚାୟତ କଂଗ୍ରେସ ସଭାପତି କମଳାକାନ୍ତ ଦାସ, କଂଗ୍ରେସ ଉପସଭାପତି ଗୋପାଳ ଦାସ, ରାଜେନ୍ଦ୍ର ଧଳ, ଏସ୍.କେ. କମରୁଦ୍ଦିନ, ପ୍ରଦୀପ ଜେନା, ଅମୂଲ୍ୟ ପଟ୍ଟାୟତ, ଏସ୍.କେ. ବାବୁ, ଅକ୍ଷୟ ଜେନା, ସାତୁକ ରାଉଳ ଓ ପ୍ରିୟବ୍ରତ ଜେନାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
