ଧାନ ରୋଇବାକୁ ଯାଇ ନଈ ମଝିରେ ଫସିଥିଲେ ୫ ଜଣ, ସୁରକ୍ଷିତ ଉଦ୍ଧାର
କୋକସରା, ୨୩/୦୮ ( କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ ) : ଧାନ ରୋଇବାକୁ ଯାଇ ନଈ ମଝିରେ ଫସିଗଲେ ଗୋଟିଏ ପରିବାରର ୫ ଜଣ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମରେ ରବିବାର ଏଭଳି ଏକ ଅଘଟଣ ଘଟିଛି। ତେବେ ଧର୍ମଗଡ଼ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ପରିବାରର ସମସ୍ତ ୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଖୁଣ୍ଟିଆ ଗ୍ରାମର ସୋମନାଥ ଧରୁଆ, ତାଙ୍କ ମା’ ପଦ୍ମା ଧରୁଆ, ସ୍ତ୍ରୀ ସଂମତୀ ଧରୁଆ, ଝିଅ ମମିତା ଧରୁଆ ଓ ପାର ଧରୁଆ ଧାନ ରୋଇବା ପାଇଁ ନଈ ପାର ହୋଇ ଚାଷଜମିକୁ ଯାଇଥିଲେ। ତେବେ ଏହି ସମୟରେ ନଈରେ ହଠାତ୍ ପାଣି ବଢ଼ିଯିବାରୁ ସେମାନେ ନଈ ମଝିରେ ଫସି ରହିଥିଲେ। ପରିବାରର ୫ ଜଣ ନଈ ମଝିରେ ଫସିଥିବା ଖବର ପାଇ ସ୍ଥାନୀୟ ଲୋକେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଉପାଧ୍ୟକ୍ଷ ତୁରନ୍ତ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ସହ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଓ ବିଡିଓ ଡ. ହିମାଞ୍ଚଳ ମାଝୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ଧର୍ମଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନଈରେ ପାଣିର ପ୍ରଖର ସ୍ରୋତ ରହିଥିବା ସତ୍ତ୍ୱେ ଅଗ୍ନିଶମ କର୍ମଚାରୀମାନେ ସାହସିକତାର ସହ ଉଦ୍ଧାର କାର୍ଯ୍ୟ ଚଳାଇ ପରିବାରର ସମସ୍ତ ୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅଗ୍ନିଶମ ବିଭାଗର ତ୍ୱରିତ ଓ ସାହସିକ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣରୁ ପରିବାରଟି ରକ୍ଷା ପାଇଛି। ଏହି ଘଟଣା ପରେ ବର୍ଷା ଦିନରେ ନଈ, ନାଳ ପାର ହୋଇ ଚାଷଜମିକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
