ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଅର୍ଦ୍ଧବାର୍ଷିକ ପରିଚାଳନା ସମିତି ବୈଠକ ଅନୁଷ୍ଠିତ
ଦେବଗଡ଼: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମାଜ ଅଧୀନ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଅର୍ଦ୍ଧବାର୍ଷିକ ପରିଚାଳନା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଂଘମିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ, ସେବା ପ୍ରଦାନ ବ୍ୟବସ୍ଥା ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।
ବୈଠକରେ ପରିଚାଳନା ସମିତିର ଅଧ୍ୟକ୍ଷ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସଦସ୍ୟ ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସହ-ଅଧ୍ୟକ୍ଷ ତଥା ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ ପ୍ରମୁଖ ଯୋଗଦେଇ ଜିଲ୍ଲାର ସ୍ୱାସ୍ଥ୍ୟସେବାର ଅଗ୍ରଗତି, ଚ୍ୟାଲେଞ୍ଜ ଏବଂ ସୁଧାରମୂଳକ ପଦକ୍ଷେପ ଉପରେ ମତାମତ ପ୍ରଦାନ କରିଥିଲେ।
ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ରାସ୍ତା ଓ ଗୃହ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଭିଷେକ ଓଝା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ଡା. ମନୋରଞ୍ଜନ ସାମଲ, ଡା. ପ୍ରଭାତ କୁମାର ଓଝା, ଡା. ମସଙ୍ଗ ମୁର୍ମୁ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ କୁମାର ପ୍ରହରାଜ, ଉପ-କାର୍ଯ୍ୟକ୍ରମ ପରିଚାଳକ (ମାତୃ ଓ ଶିଶୁ ସ୍ୱାସ୍ଥ୍ୟ) ଦୁଷ୍ମନ୍ତ କୁମାର ସୁତାର, ଜିଲ୍ଲା ତଥ୍ୟ ପରିଚାଳକ ଅଶୋକ କୁମାର ମିଶ୍ର ଏବଂ ଡାକ୍ତରଖାନା ପରିଚାଳକ ଜାତୀନ କୁମାର ଭୋଇଂସାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା ସହ ସେବାର ଗୁଣାତ୍ମକ ଉନ୍ନତି, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ରୋଗ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇବା ନିମନ୍ତେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ସମସ୍ତଙ୍କ ସହଯୋଗରେ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ରିପୋର୍ଟ: ସୁରେଶ ମାଝୀ, ଦେବଗଡ଼।
