ଖଜୁରପଡା ସ୍ଥିତ ଅରିହଣ୍ଟ ରାଇସମିଲ ସମ୍ମୁଖରେ ଏକ କଣ୍ଟେନର ଧକ୍କାରେ ୨ ଟ୍ରକ୍ ଚାଳକ ମୃତ୍ୟୁବରଣ କରିଛନ୍ତି।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଉତ୍କେଲା/ କେସିଙ୍ଗା: ଆଜି ସକାଳେ ଉତ୍କେଲା ନିକଟସ୍ଥ ଖଜୁରପଡା ସ୍ଥିତ ଅରିହଣ୍ଟ ରାଇସମିଲ ସମ୍ମୁଖରେ ଏକ କଣ୍ଟେନର ଧକ୍କାରେ ୨ ଟ୍ରକ୍ ଚାଳକ ମୃତ୍ୟୁବରଣ କରିଛନ୍ତି। ମୃତକ ଦୁଇ ଜଣ ବଲାଙ୍ଗୀର ଜିଲ୍ଲା ବେହେରାପାଲିର ମୁନ୍ନା ଦଳେଇ ଏବଂ କଳାହାଣ୍ଡି କଲମପୁର ବ୍ଲକ ଚୁରାଗାଁ ହିମାଂଶୁ ରାଉତ ବୋଲି ଜଣାପଡିଛି। ଅନ୍ୟତମ ଟ୍ରକ୍ ଚାଳକ ବିକାଶ ସାହୁ, ଗାଡିରୁ ଓହ୍ଲାଇବା ବିଳମ୍ବ କରିବାରୁ ଦୁର୍ଘଟଣାରୁ ବର୍ତ୍ତିଗଲେ।
ସୂଚନା ଅନୁଯାୟୀ ଗତ ରାତିରେ ୩ଟି ଟ୍ରକରେ କଲମପୁର ମଣ୍ଡିରୁ ଧାନ ଆଣି ଅରିହଣ୍ଟ ରାଇସ ମିଲ ନିକଟରେ ଖାଲି କରିବାକୁ ଟ୍ରକ୍ ଗୁଡ଼ିକ ଛିଡା ହୋଇଥିଲେ। ଆଜି ଭୋରରୁ ଗାଡି ୩ଟି ଲାଇନ୍ ରେ ରଖି ଚାଳକମାନେ ଗାଡି ରୁ ଓହ୍ଲାଉଥିଲେ। ସେହି ସମୟରେ ପଛ ପଟୁ ଆସୁଥିବା କଣ୍ଟେନର ହଠାତ୍ ଧକ୍କା ଦେବାରୁ ୨ ଜଣ ଚାଳକ ଘଟଣାସ୍ଥଳରେ ମୃତ୍ୟବରଣ କରିଥିଲେ। ଉତ୍କେଲା ପୁଲିସ ଧକ୍କା ଦେଇଥିବା କଣ୍ଟେନର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଯୋଗ୍ୟ ଉକ୍ତ ରାଉସମିଲ ଆଗରେ ଟ୍ରକ୍ ଗୁଡ଼ିକ ରଖିବା ପାଇଁ ଯଥେଷ୍ଟ ସ୍ଥାନ ନଥିବା ଜଣାପଡ଼ିଛି। ଫଳରେ ୨୬ ନମ୍ୱର୍ ଜାତୀୟ ରାଜପଥରେ ଏକ ପାଖିଆ ଯାତ୍ରା କରିବାକୁ ଲୋକେ ବାଧ୍ୟ ହେଉଥିବା ପରିଲକ୍ଷିତ ହେଉଛି।
