*ପାତ୍ରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକ୍ଅପ୍ ଭ୍ୟାନ୍ ଓଲଟି ଜଣେ ମୃତ, ୩୦ ଆହତ*
ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳର ଅଣ୍ଡଅଣ୍ଡା ନିକଟରେ ଆଜି ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଭ୍ୟାନ୍ଟିରେ ଥିବା ସମସ୍ତ ଯାତ୍ରୀ ଚିକିଟି ବ୍ଲକ ଅନ୍ତର୍ଗତ କରବାଲୁଆ ଗାଁର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ମହେନ୍ଦ୍ରଗିରି ମେଳା ଦେଖି ସାରି ଘରକୁ ଫେରୁଥିଲେ। ତେବେ ଫେରିବା ବାଟରେ ଅଣ୍ଡଅଣ୍ଡା ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଖବର ପାଇ ଜରଡ଼ା ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲକୁ ପଠାଇଛି। ପୋଲିସ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଏହି ଦୁଃଖଦ ଘଟଣାକୁ ନେଇ କରବାଲୁଆ ଗାଁ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପାତ୍ରପୁର ରୁ ଶ୍ରୀବତ୍ସ ସାହୁ ଙ୍କ ରିପୋର୍ଟ।
