ସମ୍ବଲପୁରରେ ହିନ୍ଦ ମଜଦୂର ସଭାର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ।
କୋଇଲା ଖଣି ଶ୍ରମିକ ମାନଙ୍କ ସମସ୍ୟା ପ୍ରତିକାରରେ ଏମ.ସି.ଏଲ. ର ଅବହେଳା ବିରୋଧରେ ଜୁଲାଇରେ ଗଣଧାରଣା ଏବଂ ରାଜ୍ୟ ପରିଷଦ ସମ୍ମିଳନୀ ତାଳଚେର ରେ ହେବାକୁ ନିଷ୍ପତ୍ତି :-
ସମ୍ବଲପୁର ୦୭/୦୬,(ଭଂଜଦୂତ )
ଆଜି ସମ୍ବଲପୁରରେ ଓଡ଼ିଶା ସାଂସ୍କୃତିକ ସମାଜ ଭବନରେ ହିନ୍ଦ୍ ମଜଦୂର ସଭା (ଏଚ୍ ଏମ୍ ଏସ ) ର ରାଜ୍ୟ ପରିଷଦର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ପ୍ରଥମେ ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ଗତ ବୈଠକର ନିଷ୍ପତ୍ତିର ଅନୁପାଳନ ଓ ଆଜିର ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ,ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ,ପୂର୍ବତନ ବିଧାୟିକା ତଥା ଇବ ଭେଲି କୋଇଲା ମଜଦୂର ସଭାର ସାଧାରଣ ସମ୍ପାଦିକା ଶ୍ରୀମତୀ ଅଳକା ମହାନ୍ତି, କାର୍ଯ୍ୟକାରୀ ସଭାପତି ଶ୍ରୀ ବୈଦ୍ୟନାଥ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଏହି ବୈଠକରେ ମୁଖ୍ୟତଃ ମହାନଦୀ କୋଲ୍ଡଫିଲ୍ଡ (ଏମ୍ ସି ଏଲ) ର କର୍ତ୍ତୃପକ୍ଷ ଏଚ ଏମ ଏସ ତଥା କୋଇଲା ଖଣି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ପ୍ରତିକାର ଦିଗରେ ଅବହେଳା କରୁଥିବା ଏବଂ ବିଭିନ୍ନ ଆପତ୍ତି ଅଭିଯୋଗ ପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ଘୋର ଉଦବେଗ ପ୍ରକାଶ କରାଯାଇଥିଲା । ଏଥିଯୋଗୁଁ ଆଜିର ବୈଠକରେ ଜୁଲାଇ ମାସ ୧୫ ତାରିଖ ପୂର୍ବରୁ ଏସବୁର ପ୍ରତିବାଦ ପାଇଁ ଏହାର ମୁଖ୍ୟ କାର୍ଯ୍ୟାଳୟ ବୁର୍ଲା ଠାରେ ଗଣ ଧାରଣା ଦେବାକୁ ନିଷ୍ପତ୍ତି ହୋଇଛି ।
ଆହୁରି ମଧ୍ୟ ଓଡ଼ିଶା ରାଜ୍ୟରେ ଶତକଡା ୬୬% ଠିକା ଶ୍ରମିକ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହେଉଥିବା ଏବଂ ଏ କ୍ଷେତ୍ରରେ ଆମ ରାଜ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ରାଜ୍ୟରେ ଅଧିକ ଶ୍ରମିକ ଶୋଷଣ ହେଉଥିବା ଅଭିଯୋଗ କରାଯାଇ ଆଗାମୀ ଦିନ ଏହି ପ୍ରସଙ୍ଗରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପ୍ରସ୍ତାବ ହୋଇଛି । ଏହା ସହିତ ଚଳିତ ବର୍ଷ ରାଜ୍ୟ ସରକାର ଲଘୁବନ ଜାତ ଦ୍ରବ୍ୟ ଯଥା – ଶାଳ ମଞ୍ଜି ଓ ଟୋଲ ସର୍ବନିମ୍ନ ସହାୟକ ମୂଲ୍ୟରେ କରିବାକୁ କୌଣସି ବ୍ୟବସ୍ଥା କରି ନ ଥିବାରୁ ଏହି ଶ୍ରେଣୀର ଶ୍ରମିକ ମାନେ ସେମାନଙ୍କର ଜୀବନ ଜୀବିକାର ବଞ୍ଚିତ ହେଉଛନ୍ତି । ଏହା ସହିତ ମହୁଲ ର ମଧ୍ୟ ସହାୟକ ମୂଲ୍ୟ ଘୋଷଣା ହୋଇନାହିଁ କିମ୍ବା କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହୋଇଥିଲା । କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବର୍ଦ୍ଧିତ ଦରରେ ପତ୍ର ଦର ଦେବା ସହ ବୋନସ ଏବଂ ସର୍ବନିମ୍ନ ମଜୁରୀ ଅନୁଯାୟୀ କର୍ମଚାରୀଙ୍କୁ ଦରମା ପ୍ରଦାନ ପାଇଁ ଦାବୀ କରାଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋଡ କୁ ନିନ୍ଦା କରିବା ସହ ପ୍ରତ୍ୟାହାର ଦାବୀ କରାଯାଇଛି।
ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା – ହିନ୍ଦ୍ ମଜଦୂର ସଭା (ଏଚ.ଏମ. ଏସ.) ର ରାଜ୍ୟ ସ୍ତରୀୟ ବିଧିବଦ୍ଧ ପ୍ରତିନିଧି ସମ୍ମିଳନୀ ଆଗାମୀ ଜୁଲାଇ ମାସ ମଧ୍ୟରେ ତାଳଚେର ରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଛି । ଏହି ସମ୍ମିଳନୀ ପାଇଁ ତାଳଚେର ବିଧାୟକ ତଥା ଶ୍ରମିକ ନେତା ଶ୍ରୀ ବ୍ରଜ କିଶୋର ପ୍ରଧାନଙ୍କୁ ଗଠିତ ସମ୍ନଳନି କମିଟିର ଅଧ୍ୟକ୍ଷ କରାଯାଇଛି।
ତାଳଚେର କୋଇଲା ଖଣି ଅଞ୍ଚଳରେ ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ବ୍ରଜରାଜ ନଗର ଖଣି ଅଞ୍ଚଳରେ ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କୁ ସଂଗଠନିକ ଦାୟିତ୍ଵ ପ୍ରଦାନ କରାଯାଇଛି। ସମ୍ମିଳନୀରେ ମହିଳା ମାନଙ୍କୁ ଶତକଡା ୩୩ ଭାଗ କାର୍ଯ୍ୟକାରୀ କମିଟିରେ ସ୍ଥାନ ଦେବାକୁ ନିଷ୍ପତ୍ତି ହୋଇଛି ।
ନିକଟରେ ଏଚ ଏମ ଏସ କାର୍ଯ୍ୟକାରୀ ସଭାପତି ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ଆଠଗଡର ତିଗରିଆରେ ହୋଇଥିବା ଶାରୀରିକ ଆକ୍ରମଣର ଦୃଢ଼ ନିନ୍ଦା କରାଯାଇ ଅପରାଧୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ଏହି କାର୍ଯ୍ୟକାରୀ କମିଟି ବୈଠକରେ ଉପ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ସାହୁ,ଉପ ସାଧାରଣ ସମ୍ପାଦକ ଶ୍ରୀ ଗୋକୁଳ ମେହେର,ଉପସଭାପତି ଶ୍ରୀ ଅକ୍ଷୟ କୁମାର ନାୟକ,ଉପସଭାପତି ଶ୍ରୀ ଗୁଣନିଧି ବଳ,ଉପସଭାପତି ଶ୍ରୀ ଯୁଗୋଳ କିଶୋର ନାୟକ,ରାଜ୍ୟ ସମ୍ପାଦକ ଶ୍ରୀ ତ୍ରିଲୋଚନ ପ୍ରଧାନ,ରାଜ୍ୟ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି,ରାଜ୍ୟ ସମ୍ପାଦକ ମହମ୍ମଦ ମୁର୍ତ୍ତୁଜା,ରାଜ୍ୟ ସମ୍ପାଦକ ଶ୍ରୀ ଭୁବନାନନ୍ଦ ମହାପାତ୍ର,ରାଜ୍ୟ ସମ୍ପାଦକ ଶ୍ରୀ ପବିତ୍ର କୁମାର ବିଶ୍ୱାଳ,ରାଜ୍ୟ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ଦାସ,ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦାସ , ସମ୍ପାଦକ ଶ୍ରୀ ଜ୍ଞାନରଞ୍ଜନ ଦାସ,ସମ୍ପାଦକ ଶ୍ରୀ ବାସୁଦେବ ସାହୁ,ଶ୍ରୀ ନିର୍ମାଣ ଶ୍ରମିକ ମହାସଭାର ସାଧାରଣ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ଦାସ, ଭରତପୁର କୋଲ ମାଇନ୍ସ ର ସମ୍ପାଦକ ଶ୍ରୀ ପ୍ରକାଶ କୁଣ୍ଡୁ,ଶ୍ରୀ ବାବୁଲାଲ ଖଣ୍ଡୁଆଲ,ଶ୍ରୀ କିଶୋର ନାଏକ, ଜେ. ଏସ. ଡ଼ବ୍ଲୁ ଭୁଷଣ କମ୍ପାନୀର ସାଧାରଣ ସମ୍ପାଦକ ଶ୍ରୀ ରୁଦ୍ର ମେହେର,ହିଣ୍ଡାଲ୍କୋ ପାୱାର ୱର୍କର୍ସ ୟୁନିଅନ ର ସାଧାରଣ ସମ୍ପାଦକ ଯୋଗୀନ୍ଦ୍ର ବେହେରା,ହିଣ୍ଡାଲ୍କୋ ଏଫ୍ ଆର ପି ୟୁନିଅନ ର ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ ପଣ୍ଡା, ଶ୍ରୀ ଈଶ୍ୱର ଭଞ୍ଜ,ଶ୍ରୀ ସଦାଶିବ ବିଶି,ଶ୍ରୀ ରାମେଶ୍ୱର ଯାଦବ,ଶ୍ରୀମତୀ ରୁଦ୍ରଣି ନାଥ,ସ୍ନେହଲତା ବାରିକ,ମମତା ନାୟକ,ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ,ଶ୍ରୀ ସୁମିତ ପଟେଲ,ଶ୍ରୀ ଚୁମନ୍ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସମ୍ପାଦକ ଶ୍ରୀ ବିଜୟ କୁମାର ବେହେରା ଧନ୍ୟବାଦ ଜଣାଇଥିଲେ ।
