ସୋର(ଜ୍ୟୋତି ପ୍ରକାଶ ଦିକ୍ଷିତ): ଅସରାୟ ବର୍ଷାରେ ସୋର ପୌରପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡ଼ କମରପୁର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି କେତେକ ଘର ଭିତରେ ପଶିଥିବା ଦେଖାଯାଇଛିି। ଜାତୀୟ ରାଜପଥଠାରୁ ଷ୍ଟେସନକୁ ଯିବା ରାସ୍ତା ପାର୍ଶ୍ୱ ଡ୍ରେନ କିଛି ଦିନ ତଳେ ସଫା କରାଯାଇଥିଲେ ସୁଦ୍ଧା ଏହାର ମୁଖ୍ୟ ଡ୍ରେନକୁ ସଫା କରାଯାଇ ନଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ଦୀର୍ଘ ସମୟ ଧରି ରାସ୍ତା ଉପରେ ପ୍ରବାହିତ ହୋଇଥିଲା। ଫଳରେ ଯାତାୟତରେ ଘୋର ବାଧା ସୃଷ୍ଟି ହୋଇଥିଲା। ଏଥି ସହିତ ଉତ୍ତରେଶ୍ୱର ଜାତୀୟ ରାଜପଥ ପାଶ୍ୱର୍ରେ ଡ଼୍ରେନ୍ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ସଠିକ୍ ଭାବେ କରାଯାଇ ନ ଥିବାରୁ ରାସ୍ତା ଉପରେ ପାଣି ଜମି ଉତ୍ତରେଶ୍ୱର ପଶ୍ଚିମ ପାଶ୍ୱର୍ରେ ଥିବା ପରିବା ହାଟ, ମାଛ ହାଟ ଏବଂ ଦୋକାନଗୁଡ଼ିକରେ ପାଣି ପଶିଯାଉଥିବା ଦେଖାଯାଇଛି। ବ୍ରିଜ ଗୋପାଳ ଠିକା କମ୍ପାନୀ ତରଫରୁ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଏକ ପ୍ରକାର ଶେଷ ହେବାକୁ ଯାଉଥିବା ବେଳେ କଲେଜଛକ ଠାରୁ ପାଇକାଳି ପର୍ଯ୍ୟନ୍ତ ଡ୍ରେନକୁ ସଠିକ୍ ଢ଼ଙ୍ଗରେ କରାଯାଇ ପାରି ନାହିଁ। ଫଳରେ ସୋରବାସୀଙ୍କୁ ଅଯଥାରେ ଏହି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ଅନ୍ୟ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଏହି ସମସ୍ୟାରେ ସମ୍ମୁଖୀନ ହେବାକୁ ଆଶଙ୍କା ଥିବା ବେଳେ ଆଗାମୀ ଦିନରେ ଅଧିକ ବର୍ଷା ହେଲେ ଉତ୍ତରେଶ୍ୱର, ଖରିଦା, କମରପୁର, ବଡ଼ଖୁରୀ ଆଦି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହେବାର ସମ୍ଭାବନା ରହିଥିବାରୁ କର୍ତ୍ତୃପକ୍ଷ ଗୁରୁତର ସହିତ ଏଥିପ୍ରତି ଧ୍ୟାନ ଦେବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।
